ଆଜି ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ୍‌ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ଜାରି

କିଛି ଦିନର ଆଶ୍ବସ୍ତି ପରେ ପୁଣି ଫେରିଲା ତାତି ।  ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମପ୍ରବାହ କରୁଛି କଲବଲ ।  ଆଗାମୀ ତିନି ଦିନ ପର୍ଯ୍ୟନ୍ତ ହିଟୱେଭ ସର୍ତକତା ଜାରି ହୋଇଛି ।  ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷା ହେବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ବିଶେଷ କରି ଆଜି ତାପମାତ୍ରା କିଛି କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ୪୩ ଡିଗ୍ରୀ ଛୁଇଁପାରେ ତାପମାତ୍ରା ।

ଆଜି ପାଇଁ ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାରେ ହିଟ୍‌ୱେଭ୍‌ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୯ ତାରିଖରେ ୬ ଜିଲ୍ଲା ଏବଂ ୩୦ ତାରିଖରେ ୮ ଜିଲ୍ଲାକୁ ହିଟୱେଭ୍‌ ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବ  ।  ଅଶୁଂଘାତର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ତେବେ ୩୦ ତାରିଖ ପରେ ୨ ଡିଗ୍ରୀ କମିପାରେ ତାପମାତ୍ରା । ୨ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତକାଲି ୮ଟି ସହରରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିଥିଲା ।  ୪୧.୪ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ଉତ୍ତପ୍ତ ସହର ହୋଇଥିଲା । ସେହିପରି ବଲାଙ୍ଗିରରେ ୪୦.୮, ବୌଦ୍ଧରେ ୪୦.୫, ସୋନପୁରରେ ୪୦.୨, ହୀରାକୁଦରେ ୪୧.୧, ପାରଳାଖେମୁଣ୍ଡି, ସମ୍ବଲପୁର ଏବଂ ଟିଟିଲାଗଡ଼ରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave a comment