ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ କିଛି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ନୟାଗଡ଼, ଢେଙ୍କାନାଳ, ବୌଦ୍ଧ, ପାରାଦ୍ବୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗୋପାଳପୁର, ରାଉରକେଲା, ପାରଳାଖେମୁଣ୍ଡି, କୋରାପୁଟ, ଫୁଲବାଣୀ, ଭୁବନେଶ୍ବର, ସମ୍ବଲପୁର, ଭବାନୀପାଟଣା, ଚାନ୍ଦବାଲି, ବାରିପଦା ଏବଂ ହୀରାକୁଦ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଘନ କୁହୁଡ଼ି ଯୋଗୁଁ ବିମାନ ଉଡ଼ାଣ ଓ ଅବତରଣରେ ବିଳମ୍ବ ହୋଇଥିବା ବେଳେ ରେଳ ଚଳାଚଳ ବିଳମ୍ବ ହେଉଛି। ଦୃଶ୍ୟମାନ କମ ରହିବା କାରଣରୁ ଗାଡ଼ିମୋଟର ଚଳାଚଳରେ ସମସ୍ୟା ଉପୁଜୁଛି। ଅନେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ପାଇଁ କିଛି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ସାରା ରାଜ୍ୟରେ ଶୀତ ଅନୁଭୂତ ହେଉଥିବା ବେଳେ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। କିନ୍ତୁ ପରବର୍ତ୍ତୀ ସମୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ଫଳସ୍ବରୂପ ଆହୁରି ଅଧିକ ଶୀତ ପଡ଼ିବ।

ଆଜି ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୭.୫, କୋରାପୁଟରେ ୮.୧, ଘୁ.ଉଦୟଗିରିରେ ୯.୬, ବୌଦ୍ଧରେ ୯.୮, ଅନୁଗୋଳରେ ୮.୯, ରାଉରକେଲାରେ ୯.୬, ଝାରସୁଗୁଡ଼ାରେ ୯.୮, ଭୁବନେଶ୍ବରରେ ୧୨.୫ ଏବଂ କଟକରେ ୧୨ଡିଗ୍ରୀ ରହିଛି। କିଛି ଅଞ୍ଚଳରେ ତାପମାତ୍ରା ବଢ଼ିଥିବା ବେଳେ ଆଉ କିଛି ଅଞ୍ଚଳରେ ତାପମାତ୍ରା ସ୍ଥିର ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଶନିବାର ସକାଳେ ଜଗତସିଂହପୁର, ଢେଙ୍କାନାଳ, ବୌଦ୍ଧ ଏବଂ ନୟାଗଡ଼ ଜିଲାକୁ ଘନରୁ ଅତି ଘନ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଖୋର୍ଦ୍ଧା, ପୁରୀ, ଗଜପତି, ଗଞ୍ଜାମ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ବାଲେଶ୍ବର, ଅନୁଗୋଳ, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ ଏବଂ କନ୍ଧମାଳ ଜିଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

Leave a comment