ବାତ୍ୟାରେ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ ଯିବେ ଜେଲ!

୨୩ରେ ବାତ୍ୟା ଆସୁଛି । ବାତ୍ୟା ଖବର ଶୁଣୁ ଶୁଣୁ କଳାବଜାରୀମାନେ ବିଭିନ୍ନ ସାମଗ୍ରୀର ଦର ବଢ଼ାଇଦେଇଛନ୍ତି । ବିଶେଷ କରି ଖାଦ୍ୟଦ୍ରବ୍ୟ ଦାମ ଅହେତୁକ ବୃଦ୍ଧି ପାଇଛି । ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ଥିବାରୁ ପରିବା ଦର ହୁ ହୁ ହୋଇ ବଢ଼ୁଛି। ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ନ କରିବାକୁ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଯଦି ସରକାରଙ୍କ ନିର୍ଦେଶ ବେପାରୀମାନେ ନମାନ୍ତି ତେବେ ଜେଲ ଯିବେ କଳାବଜାରୀ । ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁତ ରଖି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଅସାଧୁ ବ୍ୟବସାୟୀମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖି କଳାବଜାରୀ ନକରନ୍ତି ସେଥିପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଯାଂଚ ଓ ଚଢ଼ାଉ କରିବା ସହ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି ଚାଲୁଛି। ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ସତର୍କ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ। ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ କଲେ ବାରଣ।ସେପଟେ  ଆଲର୍ଟ ମୋଡରେ ଓଡ୍ରାଫ୍ ଓ NDRF,ସବୁ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ।