ଆସନ୍ତା ଜାନୁୟାରୀ ୧ ତାରିଖ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ କମ୍ ରହିପାରେ – ପାଣିପାଗ ବିଭାଗ
ରାଜ୍ୟରେ ଗତ ଦୁଇ ସପ୍ତାହ ହେବ ଭୀଷଣ ଶୀତ ଲାଗି ରହିଛି । ୮ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସିଯାଇଛି । କୋରାପୁଟରେ ଭୟଙ୍କର ଶୀତ । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୮ ଡିଗ୍ରୀ କମିଛି । ଏଠାରେ ପାରଦ ୪.୮ ଡିଗ୍ରୀ ରହିଥିଲା । ଏହି ଥଣ୍ଡା ୧୫ ବର୍ଷର ସବୁ ସବୁ ରେକର୍ଡ ଭାଙ୍ଗି ଦେଇଛି । ପାଣିପାଗ ବିଭାଗ (ଆଇଏମ୍ଡ଼ି ) ବିସ୍ତାରିତ ଆକଳନ ଅନୁସାରେ, ଆସନ୍ତା ଜାନୁୟାରୀ ୧ ତାରିଖ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ କମ୍ ରହିପାରେ । ତେବେ ଜାନୁୟାରୀ ୨ରୁ ୮ ତାରିଖ ଯାଏ ପାରଦ ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ କମ୍ ରହିପାରେ । ଏ ବର୍ଷ ସବୁ ରେକର୍ଡ ଭାଙ୍ଗିଲାଣ ଶୀତର ଲମ୍ବା ଅବଧି । ଡିସେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ପ୍ରାୟ ୨୦ ଦିନ ଧରି ଥଣ୍ଡାରେ ଥରୁଛନ୍ତି ରାଜ୍ୟବାସୀ । ବିଗତ ବର୍ଷମାନଙ୍କର ରେକର୍ଡ କହୁଛି, ଓଡ଼ିଶାରେ ଶୀତ ଋତୁରେ ଅତି ବେଶିରେ ୬ରୁ ୭ ଦିନ ଶୀତ ଲହରୀ ଅନୁଭୂତ ହୋଇଥାଏ । ଏ ବର୍ଷ ଶୀତ ଥମିବାର ନାଁ ଧରୁନି ।
ନୂଆବର୍ଷରୁ ରାଜ୍ୟରେ ପୁଣି ଶୀତ ବଢ଼ିବ । ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ । କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ତାଙ୍କ ଆକଳନ କହୁଛି, ଦକ୍ଷିଣ ଆଭ୍ୟନ୍ତରରେ ଅଧିକ ଶୀତ ଅନୁଭୂତ ହୋଇପାରେ । ଉପକୂଳରେ କୁହୁଡ଼ି ହେବ । ୨୮, ୨୯, ୩୦ ବେଳକୁ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିପାରେ । ଫଳରେ ତାପମାତ୍ରା ସାମାନ୍ୟ କମିପାରେ । ଆସନ୍ତା ଦୁଇ ଦିନ ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ବାୟୁର ବେଗ କିଛି ବଢ଼ିବ କିନ୍ତୁ ତାପମାତ୍ରା କମିବନି ।
୩୧ରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ପରେ ଏହା ଘନୀଭୂତ ହୋଇ ଲଘୁଚାପ ହେବ । କିନ୍ତୁ ଓଡ଼ିଶା ଉପରେ ପ୍ରଭାବ ପଡ଼ିବନି । ଜାନୁୟାରୀ ୨ ତାରିଖ ବେଳକୁ ଗ୍ରୀଷ୍ମରେଖାର ଦକ୍ଷିଣ ଗୋଲାର୍ଦ୍ଧରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ବଙ୍ଗୋପସାଗରୀୟ ସମ୍ଭାବ୍ୟ ଲଘୁଚାପର ଠିକ୍ ଦକ୍ଷିଣରେ ରହିବ । ସମ୍ଭବତଃ ଏହା ଅଧିକ ଘନୀଭୂତ ହେବନି । ଫଳରେ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ସମ୍ଭାବନା ନାହିଁ । ପ୍ରାୟ ସପ୍ତାହ ସମୁଦ୍ରରେ ରହିଲେ ବି ଏହା ବଳ ଗୋଟାଇବନି ବୋଲି ସେ କହିଛନ୍ତି ।
୧ରୁ ୭ ତାରିଖ ଯାଏ ପୂର୍ବ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ କମ୍ ରହିପାରେ ବୋଲି ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ କୁହାଯାଇଛି । ସେହିଭଳି ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛି ।
୩୧ ତାରିଖ ଯାଏ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ୫ରୁ ୧୦ ଡିଗ୍ରୀ ରହିପାରେ । ସେହିଭଳି ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ଡିଗ୍ରୀରୁ ୫ ଡିଗ୍ରୀ କମ୍ ରହିପାରେ ବୋଲି ଆଇଏମ୍ଡି ଆକଳନ କରିଛି । ଶନିବାର କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତ୍ସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ୨୮ ଓ ୨୯ରେ ଖୋର୍ଦ୍ଧା, ପୁରୀ ଓ ଜଗତ୍ସିଂହପୁରରେ ଘନ କୁହୁଡ଼ି ଦେଖା ଦେଇପାରେ । ୩୦ରେ ବାଲେଶ୍ୱର ଓ ଗଜପତିରେ ଘନ କୁହୁଡ଼ି ହେବାର ଆଶଙ୍କା ଅଛି ।