ହେଲପଲାଇନ୍ ନମ୍ବର ଜାରି କଲେ ବିଜେଡି ଓ ବିଜେପି
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରାଜନୀତି ସରଗରମ ହୋଇଛି । ବାତ୍ୟା ଦାନା ପାଇଁ ରାଜ୍ୟର ଦୁଇ ପ୍ରମୁଖ ଦଳ ନିଜ ନିଜର ହେଲପ ଲାଇନ ନମ୍ବର ଜାରି କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି ସଜାଗ ରହି ଏକାଠି ବାତ୍ୟା ‘ଦାନା’କୁ ସଫଳତାର ସହ ମୁକାବିଲା କରିପାରିବା । ବାତ୍ୟା ମୁକାବିଲା ପାଇଁ ଆମର ଏକ ପ୍ରଭାବୀ ବିପର୍ଯ୍ୟୟ ପରିଚାଳନା ନୀତି ରହିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ଆମେ ସମସ୍ତେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ ବୋଲି ନବୀନ କହିଛନ୍ତି । ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟରେ କ୍ଷମତାସୀନ ବିଜେପି ଓ ବିରୋଧୀ ଦଳ ବିଜେଡି ପୃଥକ ପୃଥକ୍ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ଏହାସହିତ ସାଧାରଣ ଲୋକଙ୍କୁ ସହାୟତା ପାଇଁ ଦୁଇ ଦଳ ନିଜ ନିଜର କର୍ମୀ,ନେତା,ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେଡି ମଧ୍ୟ ତା’ର ସଦସ୍ୟତା ଅଭିଯାନକୁ ୮ଦିନ ଘୁଂଚାଇ ଦେଇଥିବା ଜଣାପଡ଼ିଛି ।
ଲୋକଙ୍କର ଯେଭଳି କ୍ଷତିନହେବ ସେ ଦିଗରେ ଯତ୍ନବାନ ହେବା ପାଇଁ ବିଜେଡି କହିଛି । ଏହାସହିତ ଦଳ ପକ୍ଷରୁ ଦୁଇଟି ହେଲପଲାଇନ୍ ନମ୍ବର ଜାରି ହୋଇଛି । ଯାହା ହେଲା ୯୯୩୭୦୫୭୫୨୮ ଓ ୮୯୮୪୩୦୩୫୩୪ । ଯେକୌଣସି ଲୋକ ଏହି ଦୁଇଟି ନମ୍ବରକୁ ଫୋନ୍ କରି ସହଯୋଗ ଲୋଡ଼ିପାରିବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ବାତ୍ୟା ‘ଦାନା’ ପାଇଁ ନିଜେ ସତର୍କ ରହିବା ଓ ଅନ୍ୟମାନଙ୍କୁ ସତର୍କ କରାଇବା ପାଇଁ ଦଳୀୟ କର୍ମୀ, ନେତା ଓ ନିର୍ବାଚିତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ଦଳର ସମସ୍ତ ସାଂସଦ, ବିଧାୟକ, ନିର୍ବାଚିତ ଜନପ୍ରତିନିଧି, ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଉପସ୍ଥିତ ରହି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବାକୁ କହିଛନ୍ତି । ବିଜେପି ପକ୍ଷରୁ ୨୪ଘଂଟିଆ ହେଲପଲାଇନ୍ ନମ୍ବର ୦୬୭୪-୨୩୯୩୯୮୪ ଜାରି କରାଯାଇଛି ।