ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା
ଶୀତର କୋମଳ ସ୍ପର୍ଶକୁ ଅପେକ୍ଷା କରିଥିବା ରାଜ୍ୟବାସୀ ଏବେ ଆହୁରି ଦୁଇଟି ଲଘୁଚାପର ପ୍ରକୋପ ସହିବେ। ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ତେବେ ଉଭୟ ଲଘୁଚାପ ମିଶି ବାତ୍ୟା ଆଶଙ୍କା ସୃଷ୍ଟି କରୁଥିବା ବେଳେ ଏଯାଏଁ ପାଣିପାଗ ବିଜ୍ଞାନୀମାନେ ବାତ୍ୟାକୁ ନେଇ କୌଣସି ଆକଳନ କରିନାହାନ୍ତି। ଦକ୍ଷିଣ-ପଶ୍ଚିମବଙ୍ଗୋପସାଗର ଉପରେ ଆଜି ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଘନୀଭୂତ ହୋଇ ଆସନ୍ତାକାଲି (ବୁଧବାର) ସୁଦ୍ଧା ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ଏବଂ ଅଧିକ ଘନୀଭୂତ ହେବ। ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ରୂପ ନେବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି କୌଣସି ସ୍ପଷ୍ଟ ଚିତ୍ର ଦେଇନାହିଁ। ଏହି ଅବପାତ ଯୋଗୁଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୨୫ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।