ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଶ୍ରୀଲଙ୍କା

ରାଷ୍ଟ୍ରପତି ଗୋଟାବାୟା ରାଜ‌ପକ୍ଷେ ଦେଶଛାଡ଼ି ମାଳଦ୍ବୀପକୁ ଖସି ପଳାଇଛନ୍ତି ବୋଲି ଖବର ପ୍ରଘଟ ହେବା ପରେ ତୁରନ୍ତ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଅସଂଖ୍ୟ ପ୍ରତିବାଦକାରh ଶ୍ରୀଲଙ୍କାର ରାଜଧାନୀ କ‌ଲମ୍ବୋର ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା ପରେ ଶ୍ରୀଲଙ୍କାର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଦାୟିତ୍ବ ତୁଲାଉଥିବା ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମ‌ସିଂଘେ ଦେଶବ୍ୟାପୀ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ବୃଦ୍ଧି ପାଉଥିବା ପ୍ରତିବାଦ ‌ଦମନ କରିବା ପାଇଁ କ‌ଲମ୍ବୋ ସମେତ ପଶ୍ଚିମ ପ୍ରଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ସୃଷ୍ଟି ହେବା ଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ଲାଗି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଆଦେଶ ଦେଇଛନ୍ତି।