ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ ନ ହୁଏ ତେବେ ଧ୍ୱଂସ ହୋଇଯିବ ୟୁକ୍ରେନ ସହର
ମେଟ୍ରୋ ଟିଭି ଓଡିଶା (୨୩ .୩ . ୨୦୨୨) :
ଋଷ-ୟୁକ୍ରେନ ଯୁଦ୍ଧର ଅବସ୍ଥା ଜଟିଳ ହେଉଥିବା ବେଳେ ଋଷ ଦେଇଛି ଆଣବିକ ଅସ୍ତ୍ର ପ୍ରୟୋଗର ବାର୍ତ୍ତା । ଯଦି ଋଷର ସ୍ଥିତି ବିପନ୍ନ ହୁଏ, ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ । ସେ କହିଛନ୍ତି, ଆଭ୍ୟନ୍ତରୀଣ ନିରାପତ୍ତା ଓ ଦେଶବାସୀଙ୍କ ସୁରକ୍ଷାକୁ ଋଷ ଗୁରୁତ୍ୱ ଦେଉଛି । ତିନିଦିନ ତଳେ ନ୍ୟୁକ୍ଲିୟର ଇଭାକୁଏସନ ଡ୍ରିଲ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ ପରେ ସୃଷ୍ଟି ହୋଇଥିଲା ହଇଚଇ ।

ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ପୁଣି ଥରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ପୁଟିନଙ୍କ ସହ ଆଲୋଚନା କରି ଅସ୍ତ୍ରବିରତି ଲାଗି ସେ ଅନୁରୋଧ କରିଛନ୍ତି । ଆଜି ଫ୍ରାନ୍ସ ସାଂସଦଙ୍କୁ ଉଦବୋଧନ ଦେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତୁରନ୍ତ ହସ୍ତକ୍ଷେପ କରିବାକୁ ପୋପ୍ ଫ୍ରାନସିସଙ୍କ ନିକଟରେ ବି ଅନୁରୋଧ କରିଛନ୍ତି ଜେଲେନସ୍କି । ଏହାସହ ସେ କହିଛନ୍ତି ଯୁଦ୍ଧର ଗତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯଦି ତୁରନ୍ତ ଯୁଦ୍ଧ ବନ୍ଦ ନହୁଏ ତେବେ ଆତ୍ମସମର୍ପଣ ପୂର୍ବରୁ ୟୁକ୍ରେନ ଧ୍ୱଂସ ହୋଇଯାଇଥିବ ।