ରାଜଧାନୀରେ ବଢ଼ିବାରେ ଲାଗିଛି ଅପହରଣ ମାମଲା

ଭୁବନେଶ୍ବର: ରାଜଧାନୀରେ ଅପହରଣ ମାମଲାର ଗ୍ରାଫ୍‌ ଉପରମୁହାଁ ହୋଇଚାଲିଛି। ଦିନକୁ ଦିନ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ‌ବିଭିନ୍ନ ଥାନାରେ ମାସକୁ ପ୍ରାୟ ୨୫ରୁ ଅଧିକ ମାମଲା ପଞ୍ଜୀକୃତ ‌ହେଉଛି। ସେଥିରେ ପ୍ରେମଜନିତ ନାବାଳିକା, ମହିଳା ଅପହରଣ ମାମଲାଠାରୁ ଆରମ୍ଭ କରି ବଟି ଆଦାୟଜନିତ, ପୂର୍ବ ଶତ୍ରୁତାଜନିତ ଅପହରଣ ମାମଲା ରହିଛି। ଦିନ ଥିଲା ଯେତେବେଳେ ପ୍ରେମଜନିତ ଅପହରଣ ମାମଲା ବେଶି ଥିଲା। କିନ୍ତୁ ସମ୍ପ୍ରତି ବଟି ଆଦାୟ କରିବାକୁ ହେଉଥିବା ଅପହରଣ ମାମଲା ସଂଖ୍ୟା ବଢ଼ିଚାଲିଛି। ତେଣୁ ଧୀରେଧୀରେ ଭୁବନେଶ୍ବରରେ ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ଭଳି ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଗତ କିଛି ମାସ ମଧ୍ୟରେ ଏଭଳି କିଛି ଅପହରଣ ମାମଲା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।