ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ବଜାୟ ରଖିଲା ଆଇଆଇଟି-ମାଡ୍ରାସ୍‌

ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଚଳିତ ଶିକ୍ଷାବର୍ଷର ରାଙ୍କିଙ୍ଗ୍- ‘ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨’ ପ୍ରକାଶ ପାଇଛି।  ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ’ (ଏନ୍‌ଆଇଆର୍‌ଏଫ୍‌) ପକ୍ଷରୁ ପ୍ରସ୍ତୁତ ଏହି ରାଙ୍କିଙ୍ଗକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିଛନ୍ତି।  କ୍ରମାଗତ ୪ର୍ଥ ବର୍ଷ ପାଇଁ ଭାରତର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ‘ଆଇଆଇଟି-ମାଡ୍ରାସ୍’ ତା’ର ଶ୍ରେଷ୍ଠତ୍ବ ବଜାୟ ରଖିଥିବା କଥା ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ’ (ଏନ୍‌ଆଇଆର୍‌ଏଫ୍‌) କହିଛି।ଚଳିତ ବର୍ଷ ‘ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨’ରେ ବେଙ୍ଗାଲୁରୁସ୍ଥିତ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ୍‌’ (ଆଇଆଇଏସ୍‌ସି) ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଛି ବୋଲି ‘ଏନ୍‌ଆଇଆର୍‌ଏଫ୍‌’ ଉଲ୍ଲେଖ କରିଛି।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘‘ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨’’ ଉନ୍ମୋଚନ କରିଛନ୍ତି । ସାମଗ୍ରିକ ବର୍ଗରେ ‘ଆଇଆଇଟି-ମାଡ୍ରାସ୍‌’ ପ୍ରଥମ ସ୍ଥାନରେ ଥିବା ବେଳେ ‘ଆଇଆଇଟି-ଦିଲ୍ଲୀ’ ଦ୍ବିତୀୟ ସ୍ଥାନରେ ଏବଂ ‘ଆଇଆଇଟି-ବମ୍ବେ’ ତୃତୀୟ ସ୍ଥାନରେ ରହିଛି। ଏହି ଅନୁକ୍ରମରେ ଥିବା ପରବର୍ତ୍ତୀ ‘ଆଇଆଇଟି’ ଗୁଡ଼ିକ ହେଲା ‘ଆଇଆଇଟି-କାନପୁର’, ‘ଆଇଆଇଟି-ଖଡ଼ଗପୁର’, ‘ଆଇଆଇଟି-ରୁର୍‌କି’, ‘ଆଇଆଇଟି-ଗୌହାଟୀ’, ‘ଆଇଆଇଟି-ତିରୁଚିରାପଲ୍ଲୀ’, ‘ଆଇଆଇଟି-ହାଇଦ୍ରାବାଦ’ ଏବଂ ‘ଆଇଆଇଟି-ସୁରତକଲ୍‌’।