ପାଳନ ହେବ ଦିନିକିଆ ଶୋକ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟ୍ରେନ୍ ଦୁଘର୍ଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ । ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ହେବ । ଶୋକ ପାଳନ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ରାତିରେ ଲାଇଟରେ ଅପରେସନ୍ ଚାଲୁ ଥିବା ବେଳେ ବର୍ତ୍ତମାନ ସୂର୍ଯ୍ୟାଲୋକରେ ଏହି କାର୍ଯ୍ୟ ତ୍ବରାନ୍ବିତ ହୋଇଛି।  ୩ଟି ଏନ୍‌ଡିଆରଏଫ୍‌, ୪ଟି ଓଡ୍ରାଫ୍‌, ୧୫ରୁ ଅଧିକ ଅଗ୍ନିଶମ ଦଳ, ୫୦ରୁ ଅଧିକ ଆମ୍ବୁଲାନ୍ସ  ଉଦ୍ଧାରରେ ଲାଗିଛନ୍ତି। ଏହା ବ୍ୟତୀତ ବହୁ ସ୍ବେଚ୍ଚାସେବୀ ସଂଗଠନ ମଧ୍ୟ ସରକାରୀ କଳକୁ ସାହାଯ୍ୟ କରୁଛନ୍ତି। ଇତିମଧ୍ୟରେ ବାୟୁସେନାର ଚୋପର ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଘଟଣା ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କିଏ ଦାୟୀ, କାହିଁକି ଦୁର୍ଘଣା ଘଟିଲା ଏ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସକାଳ ୮ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ସୂଚନା ମିଳୁଛି।

ଅନ୍ୟପଟେ ବାହାନଗାରେ ହୋଇଥିବା ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୯୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତେବେ ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି ।