ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଲେ ୪୬ ଶିକ୍ଷକ

ଆଜି ପବିତ୍ର ଗୁରୁ ଦିବସ । ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ ହେଉଛି ସାରା ଭାରତରେ । ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । 

ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ସେପ୍ଟେମ୍ବର ୫ କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ଭାରତରେ ପାଳନ କରାଯାଇଆସୁଅଛି । ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି ।

ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକମାନଙ୍କୁ ପୂଜା କରାଯାଇଥାଏ । ଗୁରୁମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ ।

ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ଚଳିତବର୍ଷ (୨୦୨୨)ର ଜାତୀୟ ପୁରସ୍କାର ପ୍ରଦାନ କରିବେ । ଏହି ଶିକ୍ଷକମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପୁରୀ ଜିଲ୍ଲାର ଈଶ୍ୱର ଚନ୍ଦ୍ର ନାୟକ । ପୁରସ୍କାର ବାବଦରେ ଶିକ୍ଷକମାନଙ୍କୁ ଏକ ମାନପତ୍ର, ୫୦ ହଜାର ଟଙ୍କା ଓ ସିଲଭର ମେଡାଲ ପ୍ରଦାନ କରାଯିବ ।

ଏଥିପାଇଁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପୂର୍ବାହ୍ନ ୧୧ଟାରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି । ଅପରାହ୍ନ ୪ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ପୁରସ୍କୃତ ହୋଇଥିବା ଶିକ୍ଷକମାନଙ୍କ ସହ ଭାବ ବିନିମୟ କରିବେ । ପ୍ରତିବର୍ଷ ଗୁରୁ ଦିବସରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଏଥିରେ ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ ।