ତେଜସ୍ବୀଙ୍କୁ ମିଳିଲାନି ଗୃହ ବିଭାଗ, ନୀତିଶ ଦେଲେ ସ୍ବାସ୍ଥ୍ୟ ବିଭାଗ

ବିହାରରେ ନୀତିଶ କୁମାର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ମହାଗଠବନ୍ଧନରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ତେବେ ତେଜସ୍ବୀ ଯାଦବ ଚାହୁଁଥିଲେ ଗୃହ ବିଭାଗ ନେବା ପାଇଁ । କିନ୍ତୁ ନୀତିଶ ତାଙ୍କ ପାଖରେ ଗୃହ ବିଭାଗ ରଖିଛନ୍ତି । ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପ୍ରଦାନ କରାଯାଇଛି । ଆର୍‌ଜେଡିରେ ମନ୍ତ୍ରୀ ସଂଖ୍ୟା ଅଧିକ ଥିଲେ ମଧ୍ୟ ତେଜସ୍ୱୀ ଯାଦବଙ୍କୁ ଗୃହ ବିଭାଗ ଦେଇନଥିବାରୁ ତେଜସ୍ବୀ ଅସନ୍ତୁଷ୍ଟ ଥିବା ଜଣାପଡିଛି । ତେବେ ସରକାର ଚାଲିବାରେ କିଛି ଅସୁବିଧା ହେବନି ବୋଲି ଆରଜେଡି ନେତାମାନେ ସ୍ପଷ୍ଟ କରିଛନ୍ତି ।  ଶପଥ ଗ୍ରହଣ ସମାରୋହରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଉପସ୍ଥିତ ନ ଥିବାବେଳେ ଆରଜେଡିରୁ ୧୬ଜଣ, ଜେଡିୟୁରୁ ୧୧ ଜଣ, କଂଗ୍ରେସରୁ ଦୁଇଜଣ, ହମରୁ ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଉଛନ୍ତି।

ରାଜ୍ୟପାଳ ଫଗୁ ଚୌହାନ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ଆରଜେଡିରୁ ବିଜୟ ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ତେଜ ପ୍ରତାପ ଯାଦବ, ଆଫାକ ଆଲାମ ଏବଂ ଆଲୋକ ମେହେଟା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଜେଡିୟୁର ଅଶୋକ ଚୌଧୁରୀ, ଶ୍ରବଣ କୁମାର, ଆରଜେଡିର ରାମାନନ୍ଦ ଯାଦବ, ସୁରେନ୍ଦ୍ର କୁମାର ଯାଦବ ଏବଂ ଲେଶି ସିଂ ଶପଥ ନେଇଥିଲେ ।

ଏହା ସହ ମଦନ ସାହନି, ଲଲିତ ଯାଦବ, ସଞ୍ଜୟ ଝା, ସନ୍ତୋଷ ସୁମନ ଏବଂ କୁମାର ସରବଜିତ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଶୀଲା ମଣ୍ଡଳ, ସୁମିତ ସିଂ, ସୁନୀଲ କୁମାର, ଚନ୍ଦ୍ରଶେଖର ଏବଂ ସମୀର ମହାସେଠ ଶପଥ ନେଇଛନ୍ତି। ପଞ୍ଚମ ରାଉଣ୍ଡରେ ଆରଜେଡି ନେତ୍ରୀ ତଥା ରାବଡି ଦେବୀଙ୍କ ଘନିଷ୍ଠ କୁହାଯାଉଥିବା ଅନୀତା ଦେବୀ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ଜେଡିୟୁ ବିଧାୟକ ଜମା ଖାନ, ଆରଜେଡି ନେତା ଜିତେନ୍ଦ୍ର ରାୟ, ଜଗଦାନନ୍ଦ ସିଂଙ୍କ ପୁଅ ସୁଧାକର ସିଂ ଏବଂ ଜୟନ୍ତ ରାଜ ଶପଥ ନେଇଛନ୍ତି । ସୁରେନ୍ଦ୍ର ରାମ, ଇସ୍ରାଏଲ ମାନସୁରୀ, ଆରଜେଡି ଏମଏଲସି କାର୍ତ୍ତିକ ସିଂ, ଏଆଇଏମଆଇଏମ ଛାଡି ଆରଜେଡିରେ ଯୋଗ ଦେଇଥିବା ଶାହନାୱାଜ ଆଲାମ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ।