ଏଣିକି QR କୋଡ୍ ସ୍କାନ କରି ATMରୁ ଟଙ୍କା ଉଠାଇପାରିବେ
ଆଜିର ଡିଜିଟାଲ୍ ଯୁଗରେ ବ୍ୟାଙ୍କିଂ ସିଷ୍ଟମ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଏବେ ଆପଣ ATM କାର୍ଡ ବିନା ବି ATM ମେସିନରୁ ଟଙ୍କା ଉଠାଇପାରିବେ । ହଁ ଆଜ୍ଞା ଆପଣଙ୍କ ଫୋନ୍ ବ୍ୟବହାର କରି ଆପଣ ଟଙ୍କା ଉଠାଇ ପାରିବେ । ଏହା ଅନଲାଇନ୍ ପେମେଣ୍ଟ କରିବା ପରି ସହଜ । ଯଦି ଆପଣଙ୍କ ଫୋନ୍ରେ UPI ଆପ୍ ଅଛି, ତେବେ ଆପଣ କେବଳ QR କୋଡ୍ ସ୍କାନ କରି ATMରୁ ଟଙ୍କା ଉଠାଇପାରିବେ । ଅନେକ ବ୍ୟାଙ୍କ ଏବେ ସେମାନଙ୍କ ATMରେ UPI କ୍ୟାସ୍ ଉଠାଣ କିମ୍ବା QR କୋଡ୍ ସ୍କାନର ଅପ୍ସନ ଦେଉଛନ୍ତି । ଏହା କେବଳ ଟଙ୍କା ଉଠାଇବା ସହଜ କରିଥାଏ ତାହା ନୁହେଁ ବରଂ ସାଇବର ଠକେଇରୁ ମଧ୍ୟ ସୁରକ୍ଷା ଦେଇଥାଏ।
UPI ବ୍ୟବହାର କରି ATM କ୍ୟାସ୍ ଉଠାଇବା ଏକ ନୂଆ ଡିଜିଟାଲ୍ ବ୍ୟାଙ୍କିଂ ଟେକ୍ନୋଲୋଜି, ଯାହା ଡେବିଟ୍ କାର୍ଡ ପରିବର୍ତ୍ତେ ମୋବାଇଲ୍ ଫୋନ୍ ଏବଂ UPI ଆପ୍ ବ୍ୟବହାର କରେ । ATM ସ୍କ୍ରିନ୍ରେ UPI କ୍ୟାସ୍ ଉଠାଣ ଅପ୍ସନ ଦିଏ ଏହି ଫିଚର । ଏହାକୁ ସିଲେକ୍ଟ କରିବା ପରେ, ମେସିନ୍ ଏକ QR କୋଡ୍ ଜେନେରେଟ୍ କରେ। ୟୁଜର୍ସମାନଙ୍କୁ ନିଜ UPI ଆପ୍ ରେ ସେହି QR କୋଡ୍ ସ୍କାନ୍ କରିବାକୁ ପଡିବ । UPI PIN ଏଣ୍ଟର କରିବା ପରେ, ଟ୍ରାନ୍ଜାକ୍ସନ ଶେଷ ହେବ । ପରେ ATM ରୁ ଟଙ୍କା ବାହାରିବ । ଏହି ପ୍ରକ୍ରିୟା ବହୁତ ଫାଷ୍ଟ ଏବଂ ଏହା ସୁରକ୍ଷିତ ମଧ୍ୟ ।
UPI ବ୍ୟବହାର କରି ATM ରୁ ଟଙ୍କା ଉଠାଇବାର ସବୁଠାରୁ ବଡ଼ ସୁବିଧା ହେଉଛି ଯେ ଆପଣଙ୍କୁ ଆପଣଙ୍କ ଡେବିଟ୍ କାର୍ଡ ସାଙ୍ଗରେ ନେବାକୁ ପଡିବ ନାହିଁ । ଯଦି ଆପଣଙ୍କ କାର୍ଡ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଟଙ୍କା ଉଠାଇବାରେ କୌଣସି ସମସ୍ୟା ନାହିଁ । ଏହା ବ୍ୟତୀତ ସାଇବର ଠକେଇର ବିପଦକୁ ହ୍ରାସ କରେ ଏହି ପ୍ରୋସେସ୍ ।