ମହାକାଶକୁ ମହିଳା ରୋବଟ ବ୍ୟୋମମିତ୍ର ପ୍ରେରଣ କରିବ ଇସ୍ରୋ

ଚନ୍ଦ୍ରଯାନ-୩ ପରେ ଇସ୍ରୋର ବର୍ତ୍ତମାନ ନଜର ଗଗନଯାନ ଉପରେ। ଏହି ମିଶନ ଜରିଆରେ ମାନବ ବିହୀନ ମହାକାଶଯାନକୁ ମହାକାଶକୁ ପଠାଯିବ। ରିହର୍ସଲ ଶେଷ ହେବା ପରେ ଇସ୍ରୋ ଭାରତୀୟ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଥିବା ନେଇ ଗତ ଦୁଇ ଦିନ ପୂର୍ବ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା ଦେଇଥିଲେ । ପ୍ରକାଶଥାଉକି ଗଗନଯାନ ମିଶନ ପାଇଁ ଇସ୍ରୋ ଅନେକ ଦିନରୁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଗଗନଯାନ ମିଶନରେ ମାନବ ପ୍ରେରଣ କରିବା ପୂର୍ବରୁ ଇସ୍ରୋ ମହାକାଶକୁ ମହିଳା ରୋବଟ ବ୍ୟୋମମିତ୍ର ପ୍ରେରଣ କରିବ । ଏନେଇ ଗତକାଲି(ବୁଧବାର) କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ଭାରତ ମାନବ ମିଶନ ପୂର୍ବରୁ ମହିଳା ରୋବଟ ଅନ୍ତରୀକ୍ଷ ଯାତ୍ରୀ ବ୍ୟୋମମିତ୍ରକୁ ଲଞ୍ଚ କରାଯିବ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ସମୟରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ । ଇସ୍ରୋର ମହତ୍ବାକାକ୍ଷିଂ ଗଗନଯାନ ମିଶନ ସାରା ବିଶ୍ବରେ ଭାରତର ସାମର୍ଥକ୍ୟକୁ ପ୍ରତିପାଦନ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।