ପୁଷ୍ପକ’: ସଫଳତାର ସହ ଅବତରଣ କଲା ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ୍ ଭେଇକିଲ

ବେଙ୍ଗାଲୁରୁ: ଇସ୍ରୋ ଆଉ ଏକ ବଡ଼ ମାଇଲସ୍ତମ୍ଭ ହାସଲ ସ୍ବରୂପ ଶୁକ୍ରବାର ଏହା କର୍ଣ୍ଣାଟକର ଚିତ୍ରଦୁର୍ଗା ନିକଟସ୍ଥ ଚଲାକେରେସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜ (ଏଟିଆର୍)ରୁ ‘ପୁଷ୍ପକ’ ନାମକ ଏହାର ପୁନର୍ବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲ୍ (ଆର୍‌ଏଲ୍‌ଭି)ର ଅବତରଣ ଅଭିଯାନକୁ ସଫଳତାର ସହ ସମ୍ପାଦନ କରିଛି। ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ଏ ସମ୍ପର୍କରେ ମହାକାଶ ସଂଗଠନ ଏକ୍ସରେ ସୂଚନା ଦେଇଛି।ପୁଷ୍ପକକୁ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟର ଯୋଗେ ଉଠାଇ ୪.୫ କିଲୋମିଟର ଉଚ୍ଚତାରୁ ଛାଡ଼ି ଦିଆଯାଇଥିଲା। ରନୱେଠାରୁ ୪ କିଲୋମିଟର ଦୂରରେ ଛାଡ଼ିଦେବା ପରେ ପୁଷ୍ପକ କ୍ରସ୍-ରେଞ୍ଜ ସଂଶୋଧନ ସହ ଆପେ ଆପେ ରନ୍‌ୱେ ନିକଟରେ ପହଞ୍ଚିଥିଲା। ଏହା ଠିକ୍ ରନ୍‌ୱେରେ ଅବତରଣ କରିଥିଲା ଏବଂ ଏହାର ବ୍ରେକ୍ ପାରାସୁଟ୍, ଲ୍ୟାଣ୍ଡିଂ ଗିଅର୍ ବ୍ରେକ୍ ଏବଂ ନୋଜ୍ ହ୍ୱିଲ୍ ଷ୍ଟିୟରିଂ ସିଷ୍ଟମ୍ ବ୍ୟବହାର କରି ଅଟକିଥିଲା ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ପୁଷ୍ପକ ଆର୍‌ଏଲ୍‌ଭି ଏକ ଅଲ୍-ରକେଟ୍, ସମ୍ପୂର୍ଣ୍ଣ ପୁନଃ-ବ୍ୟବହାରଯୋଗ୍ୟ ସିଙ୍ଗଲ-ଷ୍ଟେଜ୍-ଟୁ-ଅର୍ବିଟ୍ (ଏସ୍‌ଏସ୍‌ଟିଓ) ଯାନ ଭାବରେ ଡିଜାଇନ୍ କରାଯାଇଛି, ଯେଉଁଥିରେ ଏକ୍ସ-୩୩ ଉନ୍ନତ ଜ୍ଞାନକୌଶ , ଏକ୍ସ-୩୪ ଟେଷ୍ଟବେଡ୍ ଟେକ୍ନୋଲୋଜି ଏବଂ ଉନ୍ନତ ଡିସି-ଏକ୍ସଏ ଫ୍ଲାଇଟ୍ ପ୍ରଦର୍ଶକ ଭଳି ଅନେକ ପ୍ରମୁଖ ଉପାଦାନକୁ ଅନ୍ତର୍ଭୁକ୍ତ କରାଯାଇଛି।