ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍
ଭାରତ ହେବ ଚିପ୍ ମାନୁଫାକ୍ଚରିଂ ହବ୍। ସେମିକଣ୍ଡକ୍ଟର କ୍ଷେତ୍ରରେ ପାଲଟିବା ବିଶ୍ୱସ୍ତରୀୟ ଶକ୍ତି। ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM) ୨.୦ ର ଶୁଭାରମ୍ଭ ଘୋଷଣା ହୋଇଛି। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୪୦,୦୦୦ କୋଟି ଟଙ୍କାର ବୃହତ୍ ବ୍ୟୟବରାଦ ଘୋଷଣା କରିଛନ୍ତି।
ISM ୧.୦ ର ସଫଳତା ପରେ, ଦ୍ୱିତୀୟ ପର୍ଯ୍ୟାୟରେ ସେମିକଣ୍ଡକ୍ଟର ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କଞ୍ଚାମାଲ ଭାରତରେ ହିଁ ପ୍ରସ୍ତୁତ କରାଯିବ। କେବଳ ଚିପ୍ ନିର୍ମାଣ ନୁହେଁ, ବରଂ ‘ଫୁଲ୍-ଷ୍ଟାକ୍ ଇଣ୍ଡିଆନ୍ ଆଇପି’ ବା ଭାରତୀୟ ବୌଦ୍ଧିକ ସମ୍ପଦର ଡିଜାଇନ୍ ଏବଂ ବିକାଶ ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ବଜାର ଉପରେ ନିର୍ଭରଶୀଳତା କମାଇବା ପାଇଁ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାକୁ ଅଧିକ ଶକ୍ତିଶାଳୀ କରାଯିବ। ଶିଳ୍ପ-ଭିତ୍ତିକ ଗବେଷଣା ଏବଂ ତାଲିମ କେନ୍ଦ୍ର ମାଧ୍ୟମରେ ଏକ ଦକ୍ଷ କର୍ମଜୀବୀ ଦଳ ପ୍ରସ୍ତୁତ କରାଯିବ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏପ୍ରିଲ ୨୦୨୫ରେ ଆରମ୍ଭ ହୋଇଥିବା ‘ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମାନୁଫାକ୍ଚରିଂ ସ୍କିମ୍’ (ECMS) ପାଇଁ ପୂର୍ବରୁ ୨୨,୯୯୯ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ମାତ୍ର ଏହା ମାଧ୍ୟମରେ ଆସିଥିବା ନିବେଶ ପ୍ରତିଶ୍ରୁତି ଧାର୍ଯ୍ୟ ଲକ୍ଷ୍ୟର ଦୁଇଗୁଣ ହୋଇଥିବାରୁ ଏହାର ବ୍ୟୟବରାଦକୁ ମଧ୍ୟ ବୃଦ୍ଧି କରି ୪୦,୦୦୦ କୋଟି କରାଯାଇଛି। ଏହି ପଦକ୍ଷେପ ଭାରତକୁ ବୈଷୟିକ କ୍ଷେତ୍ରରେ ଆତ୍ମନିର୍ଭର କରିବା ସହ ଲକ୍ଷ ଲକ୍ଷ ଯୁବକଙ୍କୁ ରୋଜଗାର ପ୍ରଦାନ କରିବାରେ ସହାୟକ ହେବ।