ନୂତନ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ’ ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ

ସ୍ମାର୍ଟଫୋନ ମାଧ୍ୟମରେ ଠକେଇ ମାମଲା ବଢିଚାଲିଥିବାରୁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୂରସଂଚାର ବିଭାଗ (DoT) ମୋବାଇଲ୍ ଫୋନ୍ କମ୍ପାନୀଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛି। ଏହା ଅନୁଯାୟୀ ଦେଶରେ ନିର୍ମିତ କିମ୍ବା ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ’ ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ ହେବ। ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି। ଏହା ଦ୍ବାରା ହାଣ୍ଡସେଟଟି ଅସଲି ବୋଲି ଜଣାପଡ଼ିବ । କାରଣ ଆଜିକାଲି ବଜାରରେ ନକଲି ଆଇଏମଇଆଇ ନମ୍ବର ଥିବା ହାଣ୍ଡସେଟ ମିଳୁଛି ଓ ଏହା ଦ୍ବାରା ଠକେଇ ହେଉଛି ।ନଭେମ୍ବର ୨୮ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ୯୦ ଦିନ ପରେ, ଭାରତରେ ନିର୍ମିତ କିମ୍ବା ଆମଦାନି ହୋଇଥିବା ସମସ୍ତ ମୋବାଇଲ୍ ଫୋନ୍ରେ ସଞ୍ଚାର ସାଥୀ ଆପ୍ ଇନଷ୍ଟଲ ରହିବା ଆବଶ୍ୟକ। ଏହି ଆପ୍ ଫୋନ୍ ସେଟ୍ ଅପ୍ ସମୟରେ ସହଜରେ ଦୃଶ୍ୟମାନ ହେବା ଉଚିତ ଏବଂ ଏହାକୁ ହଟାଯାଇପାରିବ ନାହିଁ କିମ୍ବା ଅକ୍ଷମ କରାଯାଇପାରିବ ନାହିଁ। ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ନିୟମ ସମସ୍ତ କମ୍ପାନୀ ପାଇଁ ପ୍ରଯୁଜ୍ୟ ହେବ । ଅର୍ଥାତ୍ Apple, Samsung, Google, Xiaomi, Vivo, କିମ୍ବା ଅନ୍ୟ କୌଣସି ବ୍ରାଣ୍ଡ ଏହାକୁ ମାନିବାକୁ ବାଧ୍ୟ ହେବେ ।