ମେଟ୍ରୋ ଟିଭି ଓଡିଶା,୬/୨ : ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ। ଭୂସ୍ଖଳନ ଘଟି ୩ରୁ ୪ ଫୁଟର ଫାଟ ସୃଷ୍ଟି ହୋଇଛି । ଅଳ୍ପକେ ବର୍ତ୍ତିଲେ ୬ ପରିବାର ଓ ଗୃହପାଳିତ ଗୋରୁଗାଈ। ଖବର ଅନୁଯାୟୀ, ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀ କୂଳ ଲଂଘିବା ଫଳରେ ସୁରକ୍ଷା ବନ୍ଧ ନଦୀ ମଧ୍ୟକୁ ଧସିଯିବାରୁ ନଦୀ କୂଳରେ ଥିବା ୬ ବଖରା ଘରର ଭୂସ୍ଖଳନ ଘଟି ୩ ରୁ ୪ ଫୁଟ ଦବିଯିବା ସହ ବଡ ଫାଟ ସୃଷ୍ଟି ହୋଇଛି।
linked-https://fb.watch/a-c_Sq2awE/
ଫଳରେ ପୀଡିତ ଲୋକ ନିଜର ଆସବାବପତ୍ର ଛାଡି ଛୁଆ ପିଲାଙ୍କୁ ଧରି ଗାଁ ମଧ୍ୟକୁ ପଳାଇ ଯାଇଥିଲେ । ଏପରିକି ଗୁହାଳ ଘରର ବଡ ଫାଟ ଦେଖା ଦେବା ସହ ଢଳି ପଡିବାରୁ ଗୋରୁଗାଈଙ୍କୁ ଫିଟାଇ ଦେଇଥିଲେ ଗ୍ରାମବାସୀ।
ନଦୀର ଅନ୍ୟ ସ୍ଥାନରେ ସୁରକ୍ଷାବନ୍ଧର ଏବେ ବଡ ବଡ ଫାଟ ହେବାରେ ଲାଗିଛି । ଏହି ବନ୍ଧରେ ଦୈନନ୍ଦିନ ଗାଁ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟତ କରୁଥିବା ବେଳେ ବିଦ୍ୟାଳୟକୁ ଛୋଟଛୋଟ ପିଲା ଯାଇଥାନ୍ତି। ଏପରିକି କୁମ୍ଭୀର ଅନେକ ସମୟରେ ଏହି ନଦୀବନ୍ଧରେ ଶୋଇ ରହିଥାଏ । ଏବେ ବନ୍ଧ ନଦୀକୁ ଧସି ଯାଇଥିବାରୁ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି। ନଦୀବନ୍ଧର ମରାମତି ଆଳରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟବାରଦ ହେଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଓ ସଠିକ କାର୍ଯ୍ୟକାରୀ ହେଉନଥିବାରୁ ବାରମ୍ବାର ଏହି ସ୍ଥାନରେ ନଦୀବନ୍ଧ ଧସୁଛି ବୋଲି ଜଣାପଡିଛି।
ରିପୋର୍ଟ ସଂଜୟ ଦାସ ,ମେଟ୍ରୋ ଟିଭି ଓଡିଶା