ସରିଲା ବିଧାନସଭା

ଦୁଇଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବିଧାନସଭା । ଷୋଡଶ ବିଧାନସଭାର ଶେଷ ଅଧିବେଶନ । ମୋଟ ୫ ଦିନ ଚାଲିଲା ଗୃହକାର୍ଯ୍ୟ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି ।  ପଞ୍ଚମ ପାଳି ସରକାରରେ ବିଧାନସଭାର ଶେଷ ଅଧିବେଶନ ବି ପୁରା ଚାଲି ପାରିଲାନି । ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା । ଶନିବାର ଓ ରବିବାର ୨ ଟି ଛୁଟି ଦିନକୁ ଛାଡ଼ି ଦେଲେ ଏହି ଅଧିବେଶନ ଥିଲା ମୋଟ ୭ଟି କାର୍ଯ୍ୟ ଦିବସ । କିନ୍ତୁ ଶେଷ ଅଧିବେଶନ ବି ସଂପୂର୍ଣ୍ଣ ଚାଲି ପାରିଲାନି । ଅର୍ପଣ ରଥ, ଉଷୁନା ଚାଉଳରେ ମହାପ୍ରସାଦ, ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ହରଡ଼ଘଣାରେ ପକାଇଥିଲେ । ଯେଉଁଥିପାଇଁ ସମୟ ଆଗରୁ ଅଧିବେଶନ ସାରି ଦେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏହାସହ ୨୦୧୯ ରୁ ୨୦୨୪ ମଧ୍ୟରେ ୧୫ ଥର ଅଧିବେଶନ ବସିଲା । କିନ୍ତୁ ରତ୍ନଭଣ୍ଡାରକୁ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଜଷ୍ଟିସ ରଘୁବୀର ଦାସ ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କଲେ ନାହିଁ ରାଜ୍ୟ ସରକାର । ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଗୁରୁବାର କାମଚଳା ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଉ ଶେଷ ବିଧାନସଭା ଅଧିବେଶନ ଥିବାରୁ ଆଜି ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଗ୍ରୁପ ଫଟୋ ଉଠାଇଥିଲେ ।