ଭୁବନେଶ୍ୱର ‘ଦି କୌଟିଲ୍ୟ’ କଲେଜରେ ରାଗିଂ
ଭୁବନେଶ୍ୱର ପଟିଆ ଆଞ୍ଚଳରେ ଥିବା ‘ଦି କୌଟିଲ୍ୟ’ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ହଷ୍ଟେଲରୁ କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି । ଛାତ୍ର ଜଣଙ୍କ ହେଲେ ହୃଦେଶ ପଣ୍ଡା । ଶୁକ୍ରାବର ରାତିରେ କଲେଜର ଚେୟାରମ୍ୟାନ ତାଙ୍କୁ ମାଡ଼ ମାରିଥିବା ସହିତ ରାଗିଂ କରାଯାଇଥିବା ନେଇ ସେ ତାଙ୍କ ବାପାଙ୍କୁ ଫୋନରେ ଜଣାଇଥିଲେ । ହେଲେ ଶନିବାର ସକାଳୁ ତାଙ୍କର କୌଣସି ପତ୍ତା ମିଳୁନି । ପୁଅକୁ ନପାଇ ତାଙ୍କ ବାପା ରାମକୃଷ୍ଣ ପଣ୍ଡା ଚେୟାରମ୍ୟାନଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏତଲା ରଖି ତଦନ୍ତ ଆରମ୍ଭ କରିଛି । କଲେଜ ହଷ୍ଟେଲକୁ ଯାଇ ରେଜିଷ୍ଟର ଯାଞ୍ଚ କରିଛି ।ଅଭିଯୋଗ ଅନୁଯାୟୀ ହୃଦେଶ ଏଠାରେ ଯୁକ୍ତ ୨ ବିଜ୍ଞାନ ପଢୁଥିଲେ । ତାଙ୍କ ବାପାଙ୍କ କହିଛନ୍ତି ଗତ ୩ ମାସ ହେବ କଲେଜର ଚେୟାରମ୍ୟାନ ମାନସିକ ଭାବେ ନିର୍ଯାତନା ଦେଇ ଆସୁଥିଲେ । ପୁଅ ଯଦି କୌଣସି କଥା ଘରେ ଜଣାଉଥିଲା ଚେୟାରମ୍ୟାନ ସବୁବେଳେ ଗାଳିଗୁଲଜ କରୁଥିଲେ । ହେଲେ ଶୁକ୍ରବାର ନିର୍ଯାତନା ସୀମା ଟପି ଯାଇଥିଲା । ପୁଅକୁ ନିଜ ଚ୍ୟାମ୍ବରକୁ ଡାକି ୨ ଘଣ୍ଟା କାଳ ଗାଳିଗୁଲଜ କରିବା ସହ ପିଟିଥିଲେ । ଏହାକୁ ନେଇ ପୁଅ ଅପରାହ୍ନ ୪ଟାରେ ଫୋନ୍ କରିଥିଲା ।