ବିଦ୍ୟୁତ୍ ସଂସ୍କାର ନାଁରେ ଉପଭୋକ୍ତାଙ୍କୁ ମହଙ୍ଗାମାଡ଼

ମେଟ୍ରୋ ଟିଭି ଓଡିଶା (୫.୭.୨୦୨୨)

ବିଦ୍ୟୁତ୍ ଶୁଳ୍କ ଓ ବିଲ୍ ଆଦାୟରେ ଜାତୀୟ ହାରଠାରୁ ଓଡିଶା ଆଗରେ ରହିଛି। ବିଦ୍ୟୁତ ସଂସ୍କାର ନାଁରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼ ଦେଉଛି ସରକାର। ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିର ବିକାଶ ହୋଇପାରିଲା ନାହିଁ। ବିଦ୍ୟୁତ୍ ନିଅଣ୍ଟିଆ ୮ଟି ରାଜ୍ୟରେ ବିଦ୍ୟୁତ୍ ଶସ୍ତା ରହିଥିବାବେଳେ ଓଡ଼ିଶା ବଳକା ରାଜ୍ୟ ହୋଇ ଜାତୀୟ ହାରଠାରୁ ଏଠାରେ ୟୁନିଟ ପିଛା ଦର ଅଧିକ।

ଘରୋଇ ସଂସ୍ଥାକୁ ଲାଭ ଦେବାକୁ ଯାଇ ଗ୍ରାହକଙ୍କ ଉପରେ ସରକାର ଜୁଲମ କରୁଛନ୍ତି, ଘନ ଘନ ବିଦ୍ୟୁତ୍ କାଟ୍ ହେଉଛି। ପିଲାମାନେ ପାଠ ପଢ଼ି ପାରୁନାହାନ୍ତି, ଏହିଭଳି ପ୍ରଶ୍ନବାଣରେ ବିରୋଧୀ ବିଜେପି ଓ କଂଗ୍ରେସ ଆଜି ସରକାରଙ୍କୁ ଘେରିଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କୁ କଡ଼ା ଜବାବ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ଯେ ବିରୋଧୀ କେବଳ ଅସତ୍ୟ କହି ଗୃହକୁ ବିଭ୍ରାନ୍ତ କରୁଛନ୍ତି। ଓଡ଼ିଶାରେ କୌଣସି ଘୋଷିତ ବିଦ୍ୟୁତ୍ କାଟ ହୋଇନାହିଁ।ସୋମବାର ଅପରାହ୍ଣରେ ‘ବିଦ୍ୟୁତ ସଂସ୍କାର ଆଳରେ ଉପଭୋକ୍ତାଙ୍କୁ ମହଙ୍ଗା ମାଡ। ଘନଘନ ପାୱାର କଟ୍, ଲୋ ଭୋଲଟେଜ, ଚୁଲିକି ଗଲାଣି ପିଲାଙ୍କ ପାଠ’ ଶୀର୍ଷକ ମୁଲତବୀ ଆଲୋଚନାରେ ଭାଗ ନେଇ ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି କହିଥିଲେ ଯେ, ସରକାରଙ୍କ ସମ୍ମାନ ବଞ୍ଚାଇବା ପାଇଁ ଶକ୍ତି ମନ୍ତ୍ରୀ ଗୃହରେ ଅସତ୍ୟ ତଥ୍ୟ ରଖିଛନ୍ତି। ରାଜ୍ୟରେ ବିଜୁଳି ସମସ୍ୟା ନାହିଁ ବୋଲି ଶକ୍ତି ମନ୍ତ୍ରୀ କହିବା ହାସ୍ୟାସ୍ପଦ।