ପୁଣି ବର୍ଷାରେ ଭିଜିବ ଓଡିଶା
କମିବ ଶୀତ
ମେଟ୍ରୋ ଟିଭି ଓଡିଶା,୨୨/୧ : ବର୍ଷାରେ ପୁଣି ଭିଜିବ ଓଡିଶା । ପୁଣି ବର୍ଷା ପ୍ରଭାବରେ ଓଡିଶାକୁ ଭିଜାଇବ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ । ଏହାର ପ୍ରଭାବରେ ଶନିବାର ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଭାଗ । ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ମାତ୍ର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୩ରେ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସ୍ୱାଭାବିକଠୁ ଅଧିକ ତାପମାତ୍ରା ରହିଥିବା ବେଳେ ଆହୁରି ଦୁଇଦିନ ଅଧିକ ରହିବ ତାପମାତ୍ରା । ୨-୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ବଢ଼ିବ । ଶୀତ କମିବ । ସେହିପରି ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।
ସୂଚନା ଅନୁସାରେ,ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତାକାଲି ବର୍ଷାର ପରିମାଣ ବଢ଼ିବ । ବଜ୍ରପାତ ପାଇଁ କାଲି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।