ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟକୁ ନେଇ ପ୍ରଶ୍ନ ଉଠିଛି ।  କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍ କୁ ନେଇ  ନବ ଦାସଙ୍କ ପତ୍ନୀ ମିନତୀ ଦାଶ ଅସନ୍ତୁଷ୍ଟ ପ୍ରକାଶ କରିଥିବା ଜଣାପଡିଛି । ଏଥିରୁ ସୂଚନା ମିଳୁଛି ଯେ  ତାଙ୍କର ସ୍ୱାମୀଙ୍କୁ ପ୍ରି-ପ୍ଲାନ୍ ମର୍ଡର କରାଯାଇଛି । ତାଙ୍କର ବହୁତ ଶତ୍ରୁ ଥିବା କଥା ସେ ତାଙ୍କୁ ପୂର୍ବରୁ କହିଥିବା କହିଛନ୍ତି ମିନତୀ ଦାସ । ଅର୍ଥାତ ମିନତୀ ଦାଶଙ୍କ ଆଶଙ୍କା ହତ୍ୟାର ଷଡ଼ଯନ୍ତ୍ରକୁ ପ୍ରକାଶ କରୁଛି । ତେବେ ଷଡ଼ଯନ୍ତ୍ର କଥା ଚାର୍ଜସିଟରେ ନାହିଁ ।  ନବ ଦାସଙ୍କୁ ତାଙ୍କର ଶତ୍ରୁମାନେ ଯୋଜନା ବଦ୍ଧ ଭାବେ ମାରିଥାଇ ପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି । କେବଳ ନବ ଦାସଙ୍କ ପତ୍ନୀ ନୁହଁନ୍ତି, ତାଙ୍କ ପୁଅ ବିଶାଳ ଦାସ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତାଙ୍କ ବାପାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସେ ତାଙ୍କ ବୟାନରେ କହିଥିବା ଦେଖାଯାଇଛି । ଏଥିସହ ତାଙ୍କ ବାପାଙ୍କର ବ୍ରଜରାଜନଗରରେ ବହୁ ବିରୋଧୀ ଥିଲେ ବୋଲି କହିଛନ୍ତି । ହେଲେ, ନବ ଦାସଙ୍କର କେଉଁଭଳି ଶତ୍ରୁ ରହିଥିଲେ, ରାଜନୈତିକ, ବ୍ୟବସାୟିକ ନା ବ୍ୟକ୍ତିଗତ, ସେନେଇ ଚାର୍ଜସିଟରେ କୌଣସି କଥା ଉଲେଖ ନାହିଁ । ତେବେ ପ୍ରଶ୍ନ ଉଠୁଛି, ଯେତେବେଳେ ନବ ଦାସଙ୍କ ପତ୍ନୀ ଓ ପୁଅ, ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଆଶଙ୍କା କରୁଛନ୍ତି, ତାହେଲେ, ସେହି ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି କି ? ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି । କଂଗ୍ରେସ ନେତା ତାରା ବାହିନୀପତି କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରିକି ବିିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ ତଦନ୍ତକୁ ନେଇ ଗତକାଲି ପ୍ରଶ୍ନ ଉଠାଇଛନ୍ତି ।