ଆନ୍ଧ୍ର ମୁହଁ ବାତ୍ୟା ‘ଅସାନି’:୧୩ରୁ ଓଡ଼ିଶାରେ ବଦଳିବ ପାଗ

ଆନ୍ଧ୍ର ମୁହଁ ବାତ୍ୟା ‘ଅସାନି’:୧୩ରୁ ଓଡ଼ିଶାରେ ବଦଳିବ ପାଗ

ମେଟ୍ରୋଟିଭିଓଡିଶା(୧୧.୫.୨୦୨୨)

ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି । ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆନ୍ଧ୍ରମୁହାଁ ହୋଇଛି ବାତ୍ୟା ‘ଅସାନି’ । ଖୁବଶୀଘ୍ର ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ ରି-କର୍ଭ । ଏହା ପ୍ରଭାବରେ କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ବାତ୍ୟା ‘ଅସାନି’କୁ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତାକାଲି ଯାଏ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ତାହା ସହ ସେ କହିଛନ୍ତି ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହୋଇପାରେ । କାଲି ରାତି ଯାଏ ସମୁଦ୍ର ଅଶାନ୍ତ ରହିବ । ରାଜ୍ୟରେ ୧୩ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ଉମାଶଙ୍କର ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ।

ସେପଟେ ଆନ୍ଧ୍ରପ୍ରଦେଶରେ ଆଜି ହେବାକୁ ଥିବା ପରୀକ୍ଷା ସ୍ଥଗିତ ହୋଇଛି । ବୋର୍ଡ ଅଫ୍ ଇଣ୍ଟରମିଡିଏଟ୍ ଏଜୁକେସନର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିଛି ବୋର୍ଡ । ଆଜି ହେବାକୁ ଥିବା ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଛି । କିନ୍ତୁ ଆସନ୍ତାକାଲିଠାରୁ ହେବାକୁ ଥିବା ପରୀକ୍ଷା ପରିବର୍ତ୍ତିନ ହେବନାହିଁ ।