୧୫ଶହ ଟଙ୍କା ପାଇଁ ତାଲିବାନୀ ନିର୍ଯାତନା
ଉଧାର ଦେଇଥିବା ୧୫ଶହ ଟଙ୍କା ଫେରି ପାଇବା ପାଇଁ ଗତ ରବିବାର ସନ୍ଧ୍ୟାରେ ଭାଇଚାରାର ସହର କଟକରେ ଦେଖିବାକୁ ମିଳିଥିଲା ତାଲିବାନୀ ଶାସନର ନଗ୍ନ ଚିତ୍ର । ଜନଗହଳିପୂର୍ଣ୍ଣ ରାସ୍ତାରେ ସନ୍ଧ୍ୟା ସମୟରେ ଉଧାର ନେଇଥିବା ଯୁବକଙ୍କ ହାତ ସ୍କୁଟି ପଛରେ ବାନ୍ଧି ପ୍ରାୟ ୨ କିମିରୁ ଅଧିକ ବାଟ ଦୌଡ଼ାଇଥିଲେ ୨ ଅଭିଯୁକ୍ତ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଗାଡ଼ି ଜବତ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ସେକ ଛୋଟୁ ଏବଂ ସେକ ହୁସେନ । ଏନେଇ ପୀଡ଼ିତ ଜଗନ୍ନାଥ ବେହେରା ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।
ଏଥିସହ ବିଚ୍ ରାସ୍ତାରେ ଏପରି ବର୍ବର କାଣ୍ଡ ଘଟୁଥିବା ବେଳେ ଚଣ୍ଡୀ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍ ହାବିଲଦାର କାହିଁକି ତୁରନ୍ତ ଏ ଘଟଣା ସମ୍ପର୍କରେ ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇଲେ ନାହିଁ, ଏନେଇ ତାଙ୍କୁ ନୋଟିସ୍ କରାଯାଇଛି । ଆସନ୍ତା ୭ ଦିନ ମଧ୍ୟରେ ଜବାବ ଦାଖଲ ଲାଗି ସଂପୃକ୍ତ ଟ୍ରାଫିକ ହାବିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।