ବିଶ୍ୱ ପର୍ଯ୍ୟଟନ ଦିବସ
ରାଜ୍ୟ ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀ । ପୁରୀ ସମୁଦ୍ର ବେଳାଭୂମି, କୋଣାର୍କର କୀର୍ତ୍ତି ସବୁବେଳେ ପର୍ଯ୍ୟଟକକୁ ପୁରୀ ଟାଣି ଆଣିଥାଏ । ଓଡ଼ିଶା ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପୁରୀ । ରାଜ୍ୟକୁ ଆସୁଥିବା ଅଧା ବିଦେଶୀ ପର୍ଯ୍ୟଟକ ପୁରୀରେ ଭିଡ଼ ଜମାଉଥିବା ବେଳେ ବାକି ଅଧା ଅନ୍ୟ ଜିଲ୍ଲାମାନଙ୍କୁ ଯାଇଥାନ୍ତି । ମାତ୍ର ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗର ଅଭାବ ରହିଛି । ତେଣୁ ପୁରୀକୁ ବିଦେଶୀ ତଥା ଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସଜାଡ଼ିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
କରୋନା ମହାମାରୀ ଯୋଗୁ ବିମାନ ଚଳାଚଳରେ କଟକଣା ଥିବା କାରଣରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିଲା । କିନ୍ତୁ ଏବେ ପରିସ୍ଥିତି ସୁଧୁରିବା ସହ ପୁଣିଥରେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟ ମୁତାବକ, ୨୦୧୮ରେ ରାଜ୍ୟକୁ ସମୁଦାୟ ୧,୧୦,୮୧୮ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ସେଥିରୁ ୪୮,୪୪୯ ବିଦେଶୀ ପୁରୀ, କୋଣାର୍କ ବୁଲିଛନ୍ତି । କେବଳ ପୁରୀ ସହରକୁ ୨୦୧୮ରେ ୪୦,୩୩୯ ବିଦେଶୀ ଆସିଛନ୍ତି ।