ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି

ନେତା-ମନ୍ତ୍ରୀଙ୍କୁ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ୨୭ ବର୍ଷୀୟ ଅର୍ଚ୍ଚନା ନାଗ ଗିରଫ ପରେ ଏବେ ଝାରପଡ଼ା ଜେଲରେ । ଅର୍ଚ୍ଚନା ନାଗଫାଶରେ ଫସିଥିବା ନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକମାନେ ଏବେ ଛାନିଆ । କାଳେ ସେମାନଙ୍କ କଳା କାରମାନା ପଦାରେ ପଡି଼ବ,  ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ସେପଟେ ଅର୍ଚ୍ଚନାଠାରୁ ବିସ୍ଫୋରକ ତଥ୍ୟ ପାଇ ପୁଲିସ୍‌ ବି ବାଉଳା । ଡଜନେରୁ ଅଧିକ ରାଜନେତା, ଅଧ ଡଜନେ ବିଲ୍ଡର, ଗଣ୍ଡା ଗଣ୍ଡା ବ୍ୟବସାୟୀଙ୍କ ତାଲିକା ପୁଲିସ ହାତରେ ଲାଗିଛି । କେଉଁଠୁ ତଦନ୍ତ ଆରମ୍ଭ କରିବେ ? କାହାର ମୁଖା ଫିଟାଇବେ ? ଗୁମର ଖୋଲିବା ପାଇଁ କାହାକୁ ଜେରା ପାଇଁ ଡକାଇବେ ? ଏ ନେଇ ଡିସିପିଙ୍କଠାରୁ ପୁଲିସ କମିଶନର ପର୍ଯ୍ୟନ୍ତ କେହି ମୁହଁ ଖୋଲିବାକୁ ନାରାଜ ।

ଖଣ୍ଡଗିରି ଥାନା ପୁଲିସ୍‌ ଅର୍ଚ୍ଚନାକୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ୍‌)କୁ ପଠାଇ ଦିଆଯାଇଛି । ଏହାପୂର୍ବରୁ ପୁଲିସ୍‌ ପଳାଶୁଣି ସ୍ଥିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଇନ୍ଦ୍ର ମହଲ୍‌ ପରି କରିଥିବା ଘର, ନଖରା ଫାର୍ମହାଉସ୍‌ ଓ ଅଂଶଧନ ଥିବା କାର୍‌ ସୋରୁମ୍‌ରେ ଚଢ଼ଉ କରିଥିଲା । ସେଠାରୁ ୨ଟି ଦାମୀ ଲାପଟପ, ୨ଟି ପେନ୍‌ଡ୍ରାଇଭ୍‌, ୧୦ଟି ମୋବାଇଲ୍‌ ଜବତ କରିଛି । ସେ ପେନ୍‌ଡ୍ରାଇଭରେ ବଡ଼ ଲୋକଙ୍କର ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।