ଶୀତ ଅପେକ୍ଷାକୃତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି

ଭୁବନେଶ୍ବର : ରାଜ୍ୟରେ ଏବେ ଦିନ ତାପମାତ୍ରା ଅଧିକ ରହିଥିବା ବେଳେ ରାତିରେ ବିଶେଷ ଶୀତ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ। ଏହା ପରବର୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତ ଅପେକ୍ଷାକୃତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲି ରାତିରୁ ଓଡ଼ିଶାରେ ପାଗ ମେଘୁଆ ରହିବା ଯୋଗୁଁ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଉପକୂଳ ଓଡ଼ିଶାରେ ମଙ୍ଗଳବାର ଦିନ ଆଂଶିକ ମେଘୁଆ ପାଗ ହେତୁ ରାତିର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ପାରଦ ସ୍ତର ପୁଣି କମିବା ସହ ଥଣ୍ଡା ବଢ଼ିବ। ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ଉପରେ ଚାଲୁ ରହିଥିବା ଗୁରୁଚାପ ବଳୟ ମଙ୍ଗଳବାର ସୁଦ୍ଧା ଅପସରିଯିବ। ତେଣୁ ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବା ଆରମ୍ଭ ହେବ। ଫଳରେ ସର୍ବନିମ୍ନ ତାପମାତ୍ରା କମିବ। ଆକଳନ କରାଯାଉଛି ଯେ, ସୋମବାର ରାତିରେ ଆଭ୍ୟନ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ତା’ ପର ୨ ଦିନ ରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି କମିବାର ସମ୍ଭାବନା ରହିଛି। ‌ତେବେ ଗୁରୁବାରଠାରୁ ତାପମାତ୍ରା ଧୀରେଧୀରେ ବଢ଼ିଲେ ମଧ୍ୟ ରବିବାର ପର୍ଯ୍ୟନ୍ତ ଥଣ୍ଡା କିଛି ରହିବ ବୋଲି ସୂଚନା ମିଳିଛି।