ଆସନ୍ତାକାଲି ଧାମନଗର ଉପନିର୍ବାଚନ ଭୋଟ୍ ଗ୍ରହଣ, ସୁରକ୍ଷା ବ୍ୟବସ୍ଥା କଡାକଡି
ଧାମନଗର ଆସନ୍ତାକାଲି ହେବ ଧାମନଗର ଉପନିର୍ବାଚନ ଭୋଟ୍ ଗ୍ରହଣ । ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ସାମଗ୍ରୀ ନେଇ ପୋଲିଂ ପାର୍ଟି ବୁଥ୍ରେ ପହଞ୍ଚିଛନ୍ତି। ଗତକାଲି ୨୧୮ଟି ବୁଥକୁ ପୁଲିଂ ପାର୍ଟି ଚାଲି ଯାଇଥିବା ବେଳେ ଆଜି ୩୪ଟି ବୁଥକୁ ପୁଲିଂ ପାର୍ଟି ଯିବେ। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୪ କମ୍ପାନୀ ସିଆରପିଏଫ୍ ଓ ୨୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ନିୟୋଜିତ କରାଯାଇଛି । ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ୧୭୫ଟି ବୁଥର ୱେବକାଷ୍ଟିଂ କରାଯିବ ।
ଏଥିପାଇଁ ୨୫୨ଟି ମତଦାନ କେନ୍ଦ୍ର କରାଯାଇଛି। ତା’ ଭିତରୁ ସମ୍ବେଦନଶୀଳ ୧୨୬ଟି ବୁଥରେ ୱେବ୍ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂରା ନିର୍ବାଚନ ମଣ୍ଡଳୀକୁ ତିନିଟି ଜୋନରେ ବିଭକ୍ତ କରାଯାଇ ୨୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହ ୪ କଂପାନି ସିଏପିଏଫ୍ ନିଯୁକ୍ତ କରାଯାଇଛି।
ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ମୋଟ ୨ଲକ୍ଷ ୪୦ ହଜାର ୯୨ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୬ ହଜାର ୫୭୯ ମହିଳା ଓ ୧ଲକ୍ଷ ୨୪ ହଜାର ୯୨ଜଣ ପୁରୁଷ ଅଛନ୍ତି ।
ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥ ମଧ୍ୟରୁ ୬୦ଟି ଉତ୍ତେଜନାପ୍ରବଣ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି । ଏଠାରେ କେବଳ ମହିଳାଙ୍କ ପାଇଁ ୫ଟି ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ଜଣ ପୋଲିଂ ଅଧିକାରୀ, ୩୦ଜଣ ସେକ୍ସନ ଅଫିସର ଓ ୨ଜଣ ପର୍ଯ୍ୟବେକ୍ଷକ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି ।
ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକରେ ଧାମନଗର ବ୍ଳକ ଓ ତିହିଡ଼ି ବ୍ଳକର ଅଞ୍ଚଳ ରହିଛି । ଗତ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏଠାରୁ ମୁକ୍ତିକାନ୍ତ ମଣ୍ଡଳ ନିର୍ବାଚନ ଲଢ଼ିଥିଲେ । ବିଜେପି ପ୍ରାର୍ଥୀ ବିଷ୍ଣୁଚରଣ ସେଠୀଙ୍କଠାରୁ ୯୧୯୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ, ବିଜେପି ପ୍ରାର୍ଥୀ ବିଷ୍ଣୁ ଚରଣ ସେଠୀଙ୍କଠାରୁ ୪,୯୪୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
ତେଣୁ ଏଥର କିଏ ନିର୍ବାଚିତ ହେବ ଭୋଟ ଗଣତି ପରେ ଜଣାପଡିବ ।