ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ
ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ଏହି ମଣ୍ଡପର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡ଼ି (ପୂର୍ତ୍ତ) ବିଭାଗ ଦ୍ୱାରା ମଣ୍ଡପର ନବୀକରଣ କାର୍ଯ୍ୟ ଶେଷ ହୋଇଛି ।
ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ବିଭିନ୍ନ ଦଳମାନେ ନିଜର ପ୍ରସ୍ତୁତି ପାଇଁ ମଞ୍ଚ ପଛପଟେ ୨ଟି ବେସ୍ମେଣ୍ଟ ହଲ୍ ଓ ଗ୍ରୀନ୍ରୁମ୍ଗୁଡ଼ିକର ଆଧୁନିକୀକରଣ କରାଯାଇଛି । ସବୁ ପ୍ରକୋଷ୍ଠରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଦର୍ପଣ ଲଗାଯାଇଛି । ରଙ୍ଗବେରଙ୍ଗ ଏଲ୍ଇଡି ଆଲୋକରେ ମଞ୍ଚ ସଜେଇ ହୋଇଛି । ଫଳରେ ସାଂସ୍କୃତିକ ଆୟୋଜନ ସହଜ ହୋଇଛି । କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ଅନୁଷ୍ଠାନମାନେ ଏଣିକି eDistrict.odisha.gov.in ୱେବ୍ସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଉତ୍କଳ ମଣ୍ଡପ ବୁକିଂ କରିପାରିବେ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି ।