ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୀମାବର୍ତ୍ତୀ କୋରାପୁଟ ଏବଂ ଗଜପତି ଜିଲ୍ଲାରେ ଉଭା ହୋଇଥିବା ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଅନୁରୋଧ କରିଛିନ୍ତି। ଏହାସହ ବିଭିନ୍ନ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଏବଂ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାରେ ଦେଖାଯାଇଥିବା ସୀମା ବିବାଦର ସମାଧାନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସୀମା ବିବାଦର ସମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଉ । ବୈଠକରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଆନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ । ଏହାସହ ସୀମାବର୍ତ୍ତୀ ଗାଁ ଗୁଡ଼ିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଶାନ୍ତିପୂର୍ଣ୍ଣ ଭାବରେ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  ବିଗତ ବର୍ଷ ମାନଙ୍କରେ ଏହି ସୀମା ବିବାଦର ସମାଧାନ ପାଇଁ ତାଙ୍କ ଦ୍ୱାରା ଉଦ୍ୟମ କରାଯିବା ସତ୍ତ୍ୱେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନଥିବା ଭଳି ମନେହେଉଛି ବୋଲି ସେ କହିଛନ୍ତି ।