ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୨୫ । ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି, ତୋଷାଳି ମେଳା ହେବ ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ନିଦର୍ଶନ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାର ଶୁଭ ଉଦଘାଟନ କରିବେ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ନିମନ୍ତେ ଏହା ଏକ ବଜାର ଯୋଗାଇଦେବ ।
ସୂଚନାଯୋଗ୍ୟ, ଚଳିତବର୍ଷ ଏହି ମେଳାରେ ୬୫୦ ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୧୫୦ଟି ଷ୍ଟଲ, ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ଟି ଷ୍ଟଲ, ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ ଟି ଷ୍ଟଲ ବ୍ୟବସ୍ଥା ହୋଇଛି । ଓଡିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ରହିବ । ଏତଦବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭାରତ ତଥା ଓଡିଶା ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାମାନେ ବିଭିନ୍ନ ଷ୍ଟଲରେ ଦର୍ଶକମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଅବଗତ କରିବେ । ୨୫୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ଥିମ ପାଭିଲିଅନ୍ ଶିଳ୍ପ ସୃଜନୀ ।
ଦିବା ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଷ୍ଟଲ ଖୋଲା ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ରୁ ରାତ୍ର ୯.୩୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାସନ ସୋ”ର ମଧ୍ୟ କରାଯିବ । ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୨୮ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।