ଭୁବନେଶ୍ବର: ଆଜି ନନ୍ଦନକାନନରେ ୧୪ତମ ବିଶ୍ୱ ବାଘ ଦିବସ ପାଳିତ ହେବ। ଏନେଇ ବିଭିନ୍ନ ଛାତ୍ର ସଂଗଠନକୁ ନିମନ୍ତ୍ରଣ କରାଯାଇଛି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ପୃଥିବୀର ୧୩ ଟି ଦେଶରେ ବାଘ ଦେଖା ଦିଅନ୍ତି। ବାଘ ସଂଖ୍ୟା କମିବା ଦ୍ୱାରା ଖାଦ୍ୟ ଶୃଙ୍ଖଳ ଓ ଜୌବ ବିବିଧତା ନଷ୍ଟ ହେଉଛି। ତେଣୁ ୨୦୧୦ ଜୁଲାଇ ୨୯ରୁ ବାଘର ସୁରକ୍ଷା ନେଇ ଆନ୍ତର୍ଜାତିକ ବାଘ ଦିବସ ପାଳନ ହେଉଛି। ପୃଥିବୀରେ ବାଘ ସଂଖ୍ୟା ଦୁଇଗୁଣା କରିବା ଏହାର ଲକ୍ଷ୍ୟ। ବର୍ତ୍ତମାନ ପୃଥିବୀରେ ୩୯୦୦ ମହାବଳ ବାଘ ଥିବାବେଳେ ସେଥିମଧ୍ୟରୁ ଭାରତରେ ୨୯୬୭ଟି ଅଛି। ଓଡ଼ିଶାରେ ୨୮ ମହାବଳ ବାଘ ଅଛି। ପ୍ରତି ୪ ବର୍ଷରେ ବାଘ ଗଣନା ହେଉଛି। ଘଞ୍ଚ ଜଙ୍ଗଲ ସୃଷ୍ଟି ଓ ଶିକାର ରୋକାଗଲେ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ। ଧଳା ଓ କଳା ବାଘ ପ୍ରଜନନ କରାଇବାରେ ଇତିହାସ ରଚନା କରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଗତ କିଛି ବର୍ଷ ହେଲା ଧଳା ଓ କଳା ବାଘଙ୍କୁ ନନ୍ଦନକାନନର ଗର୍ବ ଭାବେ ବିବେଚନା କରାଯାଉଛି। ବଡ଼ କଥା ହେଉଛି, ନନ୍ଦନକାନନରେ ଜନ୍ମ ନେଇଥିବା ଧଳା ଓ କଳା ବାଘ ଏବେ ଭାରତର ବହୁ ଚିଡ଼ିଆଖାନାରେ ଅଛନ୍ତି। ସେଠାରେ ମଧ୍ୟ ନନ୍ଦନକାନନ ପଦ୍ଧତି ଅନୁସରଣ କରାଯାଇ ବାଘ ବଂଶ ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି।
On #InternationalTigerDay My 15ft long sand tiger with message "Save us To Save the Environment " at Puri beach in Odisha. pic.twitter.com/7FmIsQgS0o
— Sudarsan Pattnaik (@sudarsansand) July 29, 2023
ଏବେ ନନ୍ଦନକାନନରେ ମୋଟ ୨୭ଟି ବାଘ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୭ଟି ଧଳା ବାଘ, ୩ଟି ବିରଳ କଳା ବାଘ ଓ ୧୭ଟି ସାଧାରଣ ନାଲି ରଙ୍ଗର ବାଘ। ପ୍ରଜନନ ଇତିହାସ ଅନୁସାରେ ୧୯୮୦ ମସିହା ଜାନୁଆରି ୮ ତାରିଖରେ ନନ୍ଦନକାନନର ସାଧାରଣ ନାଲି ବାଘୁଣି ଗଙ୍ଗା ଓ ସାଧାରଣ ରଙ୍ଗର ମହାବଳ ଦୀପକର ମିଳନରୁ ୩ଟି ଧଳା ବାଘ ଶାବକ ଜନ୍ମ ହୋଇଥିଲେ। ଆକସ୍ମିକ ଭାବେ ଧଳା ବାଘ ଛୁଆଙ୍କ ଜନ୍ମ ସେତେବେଳେ ସମଗ୍ର ଦେଶରେ ଆନନ୍ଦର ଲହରି ଖେଳାଇଦେଇଥିଲା। ଏହା ନନ୍ଦନକାନନ ପାଇଁ ଏକ ଇତିହାସ ହୋଇ ରହିଗଲା। ସେହିଭଳି ୨୦୦୪ ମସିହା ଜୁଲାଇ ୨୮ ତାରିଖରେ ସାଧାରଣ ରଙ୍ଗର ମହାବଳ ମନୀଷ୍ ଓ ଧଳା ରଙ୍ଗର ବାଘୁଣି ସ୍ନେହାର ମିଳନରୁ ପ୍ରଥମ ଥର ପାଇଁ ବିରଳ କଳା ରଙ୍ଗର ବାଘ ଶାବକ କ୍ରିଷ୍ଣା ଜନ୍ମ ନେଇଥିଲା। ଧଳା ବାଘୁଣି ସ୍ନେହାର ପ୍ରଥମ ଗର୍ଭରୁ ପ୍ରଥମ କଳା ବାଘ ଜନ୍ମ ନେବା ଭଳି ଘଟଣା ସେତେବେଳେ ନନ୍ଦନକାନନ ପାଇଁ ପୁଣି ଏକ ଇତିହାସ ହୋଇଯାଇଥିଲା।