୪୪.୪ଂ ରେ ଭାଜି ହେଲା ସୋନପୁର: କାଳବୈଶାଖୀ ନେଇ ସତର୍କ କଲେ ଏସଆରସି
ମେଟ୍ରୋଟିଭିଓଡିଶା(୧୯.୪.୨୦୨୨)
ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା । ପରିସ୍ଥିତି ଏପରି ହୋଇଛି ଯେ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଏହାରି ମଧ୍ୟରେ ମଙ୍ଗଳବାର ୪୪.୪ଂ ସହ ଆଜି ସୋନପୁର ସର୍ବାଧିକ ଉତ୍ତପ୍ତ ସହର ହୋଇଛି । ଏହାପରେ ୪୩.୩ଂ ସହ ବଲାଙ୍ଗିର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଏବଂ ତୃତୀୟରେ ୩୪.୫ଂ ସହ ଟିଟିଲାଗଡ଼ ସହର ରହିଛି । ସେହିପରି ୨୧ ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରହିଛି ।

ସେପଟେ ଆସନ୍ତାକାଲିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଝଡ଼, ବର୍ଷା, ବଜ୍ରପାତ ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କାଲିଠାରୁ ୪ ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ନେଇ କୁହାଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୨ଟି ଜିଲ୍ଲା ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ଜିଲ୍ଲାକୁ ସତର୍କ ରହିବା ପାଇଁ ସୂଚନା ଜାରି କରାଯାଇଛି ।