ଟ୍ରେନ୍ରେ ବାଣ ନେଉଛନ୍ତି କି? ଯିବେ ଜେଲ୍
ଦୀପାବଳି ପାଇଁ ଆପଣ ଯଦି ବାଣ କିଣୁଛନ୍ତି ତେବେ କିଛି ନୀତିନିୟମ ବିଷୟରେ ଜାଣିବା ଆବଶ୍ୟକ । କେଉଁ ବାଣ କିଣିବେ କିପରି ଫୁଟାଇବେ , ପିଲାମାନଙ୍କ ପାଇଁ କେଉଁ ବାଣ କିଣିବେ ଏ ବିଷୟରେ ସଚେତନ ହେବା ଜରୁରୀ । ତେବେ ବାଣଜନିତ ସମ୍ଭାବ୍ୟା ବିପଦକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ନୋଟିସ ଜାରି କରାଯାଇଛି ।
ଯଦି ଆପଣ ଟ୍ରେନରେ ବାଣ ଓ ଅନ୍ୟାନ୍ୟ ଦହନଶୀଳ ସାମଗ୍ରୀ ନେଉଛନ୍ତି ତେବେ ଆପଣ ଜେଲ ଯାଇପାରନ୍ତି । ଯାତ୍ରୀ ପରିବହନ କରୁଥିବା ଟ୍ରେନ୍ରେ ବାଣ, ଗ୍ୟାସ ସିଲିଣ୍ଡର, ଏସିଡ୍, ପେଟ୍ରୋଲ, କିରୋସିନ ଆଦି ଦହନଶୀଳ ସାମଗ୍ରୀ ପରିବହନ କରିବା ମାନେ ହେଉଛି ଆପଣ ଜେଲ ଯିବେ । ରେଳପଥ ଅଧିନିୟମ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏଥିପାଇଁ ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ।
ଟ୍ରେନ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ଯାତ୍ରୀଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି। ଯାତ୍ରୀମାନେ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି। ଏ ସଂକ୍ରାନ୍ତ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସିଲେ ରେଳ ସୁରକ୍ଷା ବଳ (ଆର୍ପିଏଫ) କର୍ମଚାରୀ, ସରକାରୀ ରେଳ ପୋଲିସ, ଟିଟିଇ, କୋଚ୍ ସେବକ ଓ ଷ୍ଟେଶନ ପରିଚାଳକଙ୍କ ସମେତ ଅନ୍ବୋର୍ଡ କର୍ମଚାରୀଙ୍କୁ ସୂଚନା ଦେବାପାଇଁ ପରାମର୍ଶ ଦିଆଯାଇଛି।
ଏହି ସୁରକ୍ଷା ବ୍ୟବସ୍ଥା ସହିତ ପୂର୍ବତଟ ରେଳପଥ ରେଳ ଷ୍ଟେଶନଗୁଡିକରେ ସର୍ବସାଧାରଣ ଘୋଷଣା ମାଧ୍ୟମରେ ଯାତ୍ରୀମାନଙ୍କୁ ଅଗ୍ନି ନିର୍ବାପକ ବିପଦ ବିଷୟରେ ସଚେତନ କରୁଛି। ପାର୍ସଲ ଭ୍ୟାନରେ ଲୋଡ୍ ହୋଇଥିବା ପାର୍ସଲ ଏବଂ ଲଗେଜଗୁଡିକର ନିରାପଦ ପରିଚାଳନାକୁ ସୁନିଶ୍ଚିତ କରିବା ଉପରେ ମଧ୍ୟ ସ୍ବତନ୍ତ୍ର ଦଳ ଧ୍ୟାନ ଦେଉଛି। ନିରାପତ୍ତା ବୃଦ୍ଧି କରାଇବା ପାଇଁ ଟ୍ରେନ ଏସ୍କର୍ଟିଙ୍ଗ ଟିମ୍ ଏବଂ ମେରୀ ସହେଲି ଦଳକୁ ଉଭୟ ଯାତ୍ରୀବାହୀ ଟ୍ରେନ ଓ ଲଗେଜ ଉପରେ କଡା ନଜର ରଖିବା ଦାୟିତ୍ୱ ଦିଆଯାଇଛି।