୧୦ ତାରିଖରୁ ଟ୍ରକ୍ ପରିବହନ ବନ୍ଦ କରିବାକୁ ଚେତାବନୀ ଦେଲା ଟ୍ରକ୍ ମାଲିକ ସଂଘ
ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ ମାଲିକ ସଂଘ। ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ ଦାବି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଟ୍ରକ ମାଲିକମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଦ୍ଵାରା ଅଯଥା ଜରିମାନା ଓ ଶୋଷଣର ଶିକାର ହେଉଛନ୍ତି । ଏନେଇ ସରକାରଙ୍କୁ ବାରମ୍ବାର ଅବଗତ ସତ୍ତ୍ଵେ କୌଣସି ସୁଫଳ ମିଳିନି । ଯଦି ଆଗାମୀ ୯ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି, ୧୦ ତାରିଖରୁ ରାଜ୍ୟରେ ଲଘୁ ଖଣିଜ ପରିବହନ କରୁଥିବା ୫ ହଜାରରୁ ଅଧିକ ଟ୍ରକ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚକା ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।