ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣା

ସମ୍ବଲପୁର : କାହିଁକି ଡେଇଁଲେ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ । ତାଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ । କିଏ ତାଙ୍କୁ ହତ୍ୟା କଲା ନା ସେ ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁଲେ ।  ବୁର୍ଲା ପୁଲିସର ଏକ ପାଞ୍ଚଜଣିଆ ଟିମ୍‌ ଶୁକ୍ରବାର ଭୁବନେଶ୍ବର ବିଜେବି ନଗରରେ ଚିନ୍ମୟୀ ରହୁଥିବା ଭଡ଼ା ଘରକୁ ଯାଇ ଛାନଭିନ୍‌ କରିଛି। ଘର ମାଲିକାଣୀ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଛି। ଚିନ୍ମୟୀ ମାସରେ କେତେ ଦିନ ଏଠାରେ ରହୁଥିଲେ, ତାଙ୍କ ସହ ଆଉ କିଏ କିଏ ରହୁଥିଲେ, ତାଙ୍କ ପାଖକୁ କିଏ କିଏ ଆସୁଥିଲେ, ପରିବାରଲୋକ ଭେଟିବାକୁ ଆସୁଥିଲେ ନା ନାହିଁ ଆଦି ସଂପର୍କରେ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି। କେବଳ ସେତିକି ନୁହେଁ, ସେଠାରୁ ଗୋଟିଏ ଲାପ୍‌ଟପ୍‌, ଡାଏରି, ପେନ୍‌ଡ୍ରାଇଭ୍‌, ହାର୍ଡଡିସ୍କ ସହ ବିଭିନ୍ନ ଖାତା ଓ ବହି ଜବତ କରାଯାଇଛି। ସେପଟେ ବୁର୍ଲାରେ ସାଇଣ୍ଟିଫିକ୍‌ ଟିମ୍‌ ଶୁକ୍ରବାର ପୁଣିଥରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି।