ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ

ଲଗାଣ ବର୍ଷାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଗତ ଦୁଇ ଦିନ ଧରି ଲାଗିରହିଛି ବର୍ଷା । ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେବା ପରେ ଏହି ଲଗାଣ ବର୍ଷା ହେଉଛି । ବାଲେଶ୍ବରର ପୂର୍ବ-ଉତ୍ତରପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ସୁଦୃଶ୍ୟ ଲଘୁଚାପ ଅଵପାତ ରୂପ ନେଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ବର୍ଷା ଲାଗି ରହିବ। ଟୁଇନ୍ ସିଟିରେ ବି ବର୍ଷା ଲାଗି ରହିଛି । ବର୍ଷାରେ ଭୁବନେଶ୍ବରର ସ୍ଥିତି ବେହାଲ ହୋଇଛି । ଆସନ୍ତାକାଲି କିପରି ସ୍ବାଧୀନତା ଦିବସ ପାଳନ ହେବ ସେ ଚିନ୍ତା ପ୍ରଶାସନକୁ ଘାରିଛି । ସୁଦୃଶ୍ୟ ଲଘୁଚାପ କ୍ଷେତ୍ର କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବା ପରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିବାର ସମ୍ଭାବନା ଅଛି ବୋଲି ଆଜି ସକାଳ ୮ଟା ବେଳେ ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ବୁଲେଟିନରେ ଉଲ୍ଲେଖ କରିଥିଲା।

ଭୁବନେଶ୍ବରରେ ପାଣିପାଗ କେନ୍ଦ୍ର ପକ୍ଷରୁ ଘଣ୍ଟାପ୍ରତି ୨୦ରୁ ୩୦ ମିଲିମିଟର ବର୍ଷା ଆକଳନ କରାଯାଇଛି। ତେବେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ବର୍ଷା ଘଡଘଡି ଯୋଗୁଁ ଯଥାସମ୍ଭବ ବାହାରକୁ ଯିବାରୁ ନିବୃତ୍ତ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଲଗାଣ ବର୍ଷା ପରେ ଘରେ ଘରେ ଏବେ ଥଣ୍ଡା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।