୨୦୩୬ ସୁଦ୍ଧା ଓଡିଶାକ ହେବ ସମୃଦ୍ଧ ରାଜ୍ୟ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ, ଆମ ସରକାର ମାତ୍ର ସାତ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଆମ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନର ବିଭନ୍ନ ଆହ୍ୱାନର ମୁକାବିଲା କରିବା ସହିତ ସାଢେ ଚାରିକୋଟି ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରୁଛୁ । ଭବିଷ୍ୟତର ରୂପରେଖ ମଧ୍ୟରେ ଆମର ଲକ୍ଷ୍ୟ ହେଉଛି, ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ପ୍ରମୁଖ ଗ୍ରୋଥ୍ ଇଂଜିନ୍ ଭାବରେ ଗଢି ତୋଳିବା । ସେହି ଲକ୍ଷ୍ୟ ନେଇ, ଆମେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ କରିବା ସହିତ ଦେଶ ଓ ସାରା ବିଶ୍ୱର ପ୍ରମୁଖ ନିବେଶକମାନଙ୍କୁ ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରୁଛୁ । ମୁଁ ଆମ ଟିମ୍ ଓଡିଶାର ନେତୃତ୍ୱ ନେଇ ଦିଲ୍ଲୀ ଓ ମୁମ୍ବାଇରେ ରୋଡ୍ ସୋ କରିବା ସହ ସିଙ୍ଗାପୁର ମଧ୍ୟ ଗସ୍ତ କରିଥିଲି । ସିଙ୍ଗାପୁରରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କରିବା ସହ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଥିଲି । ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବା ସହିତ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲି । ଏବଂ ସିଙ୍ଗାପୁର ରାଷ୍ଟ୍ରପତି ନିମନ୍ତ୍ରଣ ରକ୍ଷା କରି ଦୁଇଦିନିଆ ଓଡ଼ିଶା ଗସ୍ତ କରିଛନ୍ତି । ଯାହା ଓଡ଼ିଶାବାସୀଙ୍କ ପାଇଁ ସମ୍ମାନର ବିଷୟ । ଏହି ଗସ୍ତର ପ୍ରଭାବ ଅତ୍ୟନ୍ତ ସୁଦୁରପ୍ରସାରୀ ହେବ ।
ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆମ ସରକାର, ସିଙ୍ଗାପୁର ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ ଏମଓୟୁ କରିଛନ୍ତି । ଏହି ୮ଟି ଏମଓୟୁ ଦ୍ୱାରା ଆମେ ଓଡିଶା ପାଇଁ ୮ଟି ଉକ୍ଷରବକ୍ସ-ମଙ୍କଗ୍ଧ ଙଙ୍କଗ୍ଧମକ୍ଟଜ୍ଞରର ଲକ୍ଷ୍ୟ ରଖିଛୁ । ଏଗୁଡିକ କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ର ଗୁଡିକରେ ଆମ ରାଜ୍ୟ ଓଡିଶା ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ସହିତ ସମକକ୍ଷ ହୋଇପାରିବ । ଇଡ୍କୋ ସହ ସିଙ୍ଗାପୁରର ସେମ୍ବକର୍ପର ଏମଓୟୁ ଜରିଆରେ ଓଡିଶାରେ ବିଶ୍ୱସ୍ତରୀୟ ମଲ୍ଟି ପ୍ରଡକ୍ଟ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଏହି ପାର୍କ ଗୁଡିକରେ ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯିବା ସହିତ ଏହି ପ୍ରୋଜେକ୍ଟ ଗୁଡିକ ଯେପରି ଦୀର୍ଘସ୍ଥାୟୀ ହେବ, ସେଥିପ୍ରତି ମଧ୍ୟ ସଦାସର୍ବଦା ଦୃଷ୍ଟି ଦିଆଯିବ । ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ ଏମଓୟୁ ହୋଇଛି । ଏଥିରେ ପାରାଦୀପରେ ଏକ ଗ୍ରୀନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରୀନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହା ଦ୍ୱାରା ଭାରତର ଗ୍ରୀନ ଏନର୍ଜି କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିବ ।