୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ

୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାସିକ ଭତ୍ତା ଆକାରରେ ୩୫୦୦ ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦୁଝରରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗଙ୍କୁ ମାସିକ ୧୨୦୦ ଟଙ୍କା ଭତ୍ତା ମିଳୁଥିଲା ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଆମ ସମସ୍ତଙ୍କ ଲାଗି ଖୁସିର ମୁହୂର୍ତ୍ତ । ୮୦ ବର୍ଷରୁ ଅଧିକ ବୟସ୍କ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ଭତ୍ତା ଆଜିଠୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଉଛି । ଭତ୍ତା ବୃଦ୍ଧି କରି ସରକାର ଦେଇଥିବା କଥା ରଖିଛନ୍ତି । ରାଜ୍ୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ ଯୋଜନାର ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବେ । ଏହା ପୂର୍ବରୁ ମିଳୁଥିବା ଭତ୍ତାର ୩ ଗୁଣା ହେବ । ଏଥିରେ ଓଡ଼ିଶାର ୪ ଲକ୍ଷ ୭୭ ହଜାର ୪୯୬ ଜଣ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରକୁ ଆସିବାର ୭ ମାସରେ ଆମେ ଅନେକ ପଦକ୍ଷେପ ନେଇଛୁ । ବିଗତ ଦିନରେ ସରକାର ଦୀର୍ଘ ବର୍ଷ ଧରି ସରକାରରେ ଥିଲେ ମଧ୍ୟ ଲୋକଙ୍କ ଆଶା ପୂରଣରେ ବିଫଳ ହୋଇଥିଲେ । ଯାହାର ଫଳ ନିର୍ବାଚନରେ ଦେଖିବାକୁ ମିଳିଲା ।