ଆଜି ରାଜଧାନୀ ଭୁବନେଶ୍ବରର ଜନ୍ମଦିନ

ଆଜି ରାଜଧାନୀ ଭୁବନେଶ୍ବରର ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ  । ଆଜି ପ୍ରତିଷ୍ଠା ଦିବସ ଅବସରରେ ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ରାଜଧାନୀ ଭୁବନେଶ୍ଵର ପାଳୁଛି ୭୭ତମ ପ୍ରତିଷ୍ଠା ଦିବସ। ଏଥିଲାଗି ଲୋକସେବା ଭବନ ଓ ବିଧାନ ସୌଧ ମାର୍ଗରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଜି ସକାଳୁ ଓଡିଶା ବିଧାନ ସୌଧ ସମ୍ମୁଖରେ ଥିବା ଶିଳାନ୍ୟାସ ଫଳକରେ ବାଚସ୍ପତି ସୁରମା ପାଢୀ ଏବଂ ଅନ୍ୟାନ୍ୟ ଅତିଥି ମାନେ ମାଲ୍ୟାର୍ପଣ କରିଛନ୍ତି । ସେଠାରେ ପତାକା ଉତ୍ତୋଳନ ମଧ୍ୟ କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଭୁବନେଶ୍ଵର ମହାନଗର ନିଗମ ଦ୍ଵାରା ଆୟୋଜିତ ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ ହେବା ସହ ରବିନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ଛକ ପର୍ଯ୍ୟନ୍ତ ବେସାମରିକ ପରେଡ୍ ପ୍ରଦର୍ଶିତ ହୋଇଛି। ଏଥିରେ ପୁଲିସ୍ କର୍ମଚାରୀଙ୍କ ସହ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି।

ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରକୁ ମିଳିଥିଲା ଓଡ଼ିଶାର ରାଜଧାନୀ ମାନ୍ୟତା  । ୧୯୪୮ ଏପ୍ରିଲ ୧୩ରେ ତତକାଳୀନ  ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା । ୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ । ସ୍ମାର୍ଟ ସହରରେ ପରିଣତ ହୋଇଛି ଭୁବନେଶ୍ୱର ।

ବଣ ପାହାଡ଼ ଘେରା ଅଂଚଳ ଆଜି ବଡ଼ ବଡ଼ ଫ୍ଲାଏ-ଓଭରବ୍ରିଜ୍, ଆକାଶ ଛୁଆଁ କୋଠାରେ ଭରିଯାଇଛି । ଖଣ୍ଡଗିରି, ଉଦୟଗିରି, ଲିଙ୍ଗରାଜ ମନ୍ଦିର, ଧଉଳି ଓ ଶିଶୁପାଳଗଡ଼କୁ ନେଇ ଆଉ ଭୁବନେଶ୍ୱରର ପରିଚୟ ସୀମିତ ହୋଇ ରହିନାହିଁ ।

Leave a comment