ଶୁଭଶ୍ରୀଙ୍କୁ ନ୍ୟାୟ ପାଇଁ ମାମଲା ଦାୟର କଲେ ତାଙ୍କ ବାପା

ଯୋଡ଼ା : ଡାକ୍ତର  ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ସହ ନ୍ୟାୟ ପାଇଁ ଗୁହାରି କରିଛନ୍ତି ତାଙ୍କ ବାପା । ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଶୁଭଶ୍ରୀଙ୍କ କୋଠରିରୁ କୌଣସି ମଦ ବୋତଲ ମଧ୍ୟ ଜବତ କରାଯାଇ ନାହିଁ। କିନ୍ତୁ, ତାଙ୍କ ଶରୀରରେ ଆଲ୍‌କୋହଲ ନମୁନା କିପରି ଆସିଲା ବୋଲି ଶୁଭଶ୍ରୀଙ୍କ ବାପା ମନୋରଂଜନ କର ସନ୍ଦେହ ପ୍ରକାଶ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଶ୍ରୀ କର ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବନେଇକଳା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର  ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁର ୨୦ ଦିନ ପରେ ତାଙ୍କ ଭିସେରା ରିପୋର୍ଟ ଆସିଛି। ଶୁଭଶ୍ରୀଙ୍କ ଶରୀରରୁ ଆଲ୍‌କୋହଲ ବା ମଦ ଏବଂ ନିଶା ଔଷଧ ନମୁନା ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର ସମୟରେ ପୁଲିସ ସେଠାରୁ ଏକ ଠିପିଖୋଲା ବୋତଲ ଜବତ କରିଥିଲା। ସେଥିରେ କିଛି ପାଉଡର୍‌ ଥିଲା। ଉକ୍ତ ବୋତଲର ଠିପି ଅଳ୍ପଦୂରରେ ପଡ଼ିଥିଲା। ଡିସେମ୍ବର ୩୧ ରାତିରେ ଡାକ୍ତରଖାନାରେ ହୋଇଥିବା ଭୋଜିକୁ ମଦ ଆସିନଥିଲା। କେବଳ କେକ୍‌ କଟାଯାଇଥିଲା ଏବଂ ଚାଓମିନ୍‌ ଖିଆଯାଇଥିଲା ବୋଲି ଡାକ୍ତରଖାନା କର୍ମଚାରୀମାନେ କହୁଛନ୍ତି।