ବିବାଦୀୟ ସ୍ଥାନରେ ଲିଚୁ ଚାଷ ,ଲୋକଙ୍କ ମୁହଁରେ ଫୁଟିବ ହସ

strawberry kotia

ମେଟ୍ରୋ ଟିଭି ଓଡିଶା (୨୪.୨.୨୦୨୨) :

କୋଟିଆକୁ ନେଇ ବିବାଦ ଥମୁ ନ ଥିବାବେଳେ ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ଏବେ ନୂଆ ଆଶା ଦେଖାଇଛି। କୋଟିଆ ମାଟିରେ ଷ୍ଟ୍ରବେରୀ ଫଳିବା ପରେ ଚାଷୀ ମୁହଁରେ ହସ ଫୁଟିଛି। କୋଟିଆ ପଞ୍ଚାୟତର ଡୋଳିଆମ୍ବର ବହୁ ଚାଷୀ ଯେଉଁ ଆଶା ନେଇ ଏଭଳି ଚାଷ ଆରମ୍ଭ କରିଥିଲେ ତାହା ବହୁ ମାତ୍ରାରେ ସାକାର ହୋଇଛି। ପ୍ରଥମଥର ପାଇଁ ଉକ୍ତ ଷ୍ଟ୍ରବେରୀ କ୍ଷେତରୁ ଷ୍ଟ୍ରବେରୀ ଉତ୍ପାଦନ ହୋଇଥିବାବେଳେ ଜିଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଜିଲା କାର୍ଯ୍ୟକ୍ରମ ସଂଯୋଜକ କାଶୀପ୍ରସାଦ ନାୟକ ଉକ୍ତ କ୍ଷେତରେ ନଡ଼ିଆ ବାଡ଼େଇ ତୋଳା କାର୍ଯ୍ୟ ଶୁଭାରମ୍ଭ କରିବା ପରେ ଚାଷୀ ଷ୍ଟ୍ରବେରୀ ତୋଳିଛନ୍ତି।

ପ୍ରଥମଥର ପାଇଁ ପାଖାପାଖି ୧୦କେଜିରୁ ଉର୍ଦ୍ଧ ଷ୍ଟ୍ରବେରୀ ତୋଳାଯାଇଥିବାବେଳେ ଏହାକୁ ଆନନ୍ଦର ସହ ଉକ୍ତ ଅଞ୍ଚଳର ଚାଷୀ ଉପଭୋଗ କରିଛନ୍ତି। କୋରାପୁଟ ଜିଲାର କୋଟିଆ ଗ୍ରାମ ପଞ୍ଚାୟତର ଡୋଳିଆମ୍ବଠାରେ ପ୍ରଥମଥର ପାଇଁ ଅତ୍ୟାଧୁନିକ ପଦ୍ଧତିରେ ୫ ଏକର ଜମିରେ ଷ୍ଟ୍ରବେରୀ ଚାଷ ହୋଇଥିଲା। ୩ ତାରିଖ ଦିନ ପ୍ରଥମେ ଷ୍ଟ୍ରବେରୀ ଫଳ ଦେଖି ଚାଷୀ ବେଶ ଉତ୍ସାହିତ ହୋଇଥିବା ବେଳେ ଏବେ ଷ୍ଟ୍ରବେରୀ ଅମଳ ହୋଇଛି।

ଏହାଦ୍ୱାରା ଚାଷୀ ଆତ୍ମନିର୍ଭର ହେବେ ଓ​‌ କୋରାପୁଟ କଫି, ହଳଦୀ ତିଆରି ସାବୁନ ସମେତ ଅନ୍ୟାନ୍ୟ ଉତ୍ପାଦ ଭଳି କୋରାପୁଟ ଷ୍ଟ୍ରବେରୀ ଏ ମାଟିର ସ୍ଵତନ୍ତ୍ର ପରିଚୟ ସୃ​‌ଷ୍ଟି କରିବ ବୋଲି ଆଶା ପ୍ରକାଶ ପାଇଛି। ଫଳ ଦେଖି ଉକ୍ତ ଅଞ୍ଚଳରେ ଓ ସରକାରୀସ୍ତରରେ ଖୁସିର ଲହରୀ ଖେଳି ଯାଇଛି। ମାତ୍ର ତିନିମାସରେ ଏଭଳି ଅମଳ ଚାଷୀ ମନରେ ଅନେକ ଆଶା ଭରି ଦେଇଛି।