ଶ୍ରୀଜିଉମାନେ ୯ ଦିନିଆ ରଥଯାତ୍ରା ଶେଷ କରି ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଲକ୍ଷାଧିକ ଭକ୍ତମାନେ ତିନି ରଥକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖକୁ ଆଣିଛନ୍ତି । ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ନୀତିକାନ୍ତି ସଅଳ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ରଥ ଉପରେ ଶ୍ରୀଜିଉମାନଙ୍କର ଆଜି ସୁନାବେଶ ହେବ । ଦଶ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଆଜି ଦେଖିବେ ।
ମହଣ ମହଣ ସୁନା ଅଳଙ୍କାରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ଭାଇ ଶ୍ରୀବଳଭଦ୍ର ସଜେଇ ହେବ । ଅପରାହ୍ନ ପ୍ରାୟ ୩ଟାରେ ମହାପ୍ରଙ୍କ ସୁନାବେଶ ଆରମ୍ଭ ହେବ । ସନ୍ଧ୍ୟା ୬ଟା ବେଳକୁ ସାଜସଜ୍ଜା କାମ ସରିଯାଇଥିବ ବୋଲି ଆଶା କରାଯାଉଛି । ମହାପ୍ରଭୁଙ୍କର ଏହି ମନଲୋଭା ବେଶକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ସମସ୍ତେ ଏହି ବେଶ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ।
ମହାପ୍ରଭୁଙ୍କ ଏହି ଅପୂର୍ବ ସୁନାବେଶ ପାଇଁ ରତ୍ନଭଣ୍ଡାରରୁ ରଥ ଉପରକୁ ମହଣ ମହଣ ସୁନାଯିବ । କିରିଟି, ଶ୍ରୀପୟର, ଶ୍ରୀଭୂଜ, ଚନ୍ଦ୍ର-ସୂର୍ଯ୍ୟ, ଚକ୍ର ଆଦି ଆଭୂଷଣ ରହିଛି । ଭକ୍ତମାନେ ସୁନାବେଶକୁ ରାତି 12ଟା ପର୍ଯ୍ୟନ୍ତ ଦେଖିପାରିବେ । ଏହାପରେ ବେଶଓଲାଗି ହେବ । ରଥ ଉପରେ ସୁନାବେଶ ସ୍ୱତନ୍ତ୍ର, ଯାହାକୁ ଅଧିକ ଭକ୍ତ ଦେଖିଥାନ୍ତି ।