ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ୪୭୩ ଜଣଙ୍କୁ ନିଯୁକ୍ତି ପତ୍ର ବିତରଣ
ଭୁବନେଶ୍ବର: ନିଜକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ ସ୍କିଲିଂ କରାଇବା ଜରୁରୀ । ଓଡ଼ିଶା ପାଇଁ ବଡ ଭାବିବା ସହ ବଡ ସ୍ୱପ୍ନ ଦେଖନ୍ତୁ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ‘ରାଷ୍ଟ୍ରୀୟ ରୋଜଗାର ମେଳା’ର ପଞ୍ଚମ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରୀୟ ରୋଜଗାର ମେଳାର ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶାର ୪୭୩ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିରତଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା । ଏମ୍ସ ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱର, ଭାରତୀୟ ରେଳ, ଡ଼ାକ ବିଭାଗ, ଇଏସଆଇସି, ଇସ୍ପାତ୍ ବିଭାଗ, ଜିଏସଆଇ ସମେତ ବିଭିନ୍ନ ବର୍ଗରେ ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ଆଜି ଦାୟିତ୍ୱବୋଧର ନୂଆ ଅଧ୍ୟାୟକୁ ଯାଉଛନ୍ତି ।