ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା ,ରାହୁଲ ଗାନ୍ଧୀ

ଘୃଣାର ବଜାର ଆଗରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦେଶ୍ୟ। ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା, ଆଗାମୀ ୩ ଦିନ ଯାଏଁ ଓଡ଼ିଶାରେ ରହିବି, ଲୋକଙ୍କ କଥା ଶୁଣିବି ବୋଲି ରାହୁଲ ଗାନ୍ଧୀ ପ୍ରକାଶ କରିଛନ୍ତି।

ମଙ୍ଗଳବାର ଓଡିଶାରେ ପହଞ୍ଚିଛି ଭାରତ ଯୋଡ ନ୍ୟାୟ ଯାତ୍ରା। ସୁନ୍ଦରଗଡ, ରାଉରକେଲା ଓ ଝାରୁସୁଗୁଡାରେ ୩ ଦିନ ଚାଲିବ ରାହୁଲଙ୍କ ଯାତ୍ରା । ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ବି କରିବେ । ସେଠାରୁ ୧୧ କିଲୋମିଟର ଯାତ୍ରା କରି ରାହୁଲ ଗାନ୍ଧୀ ରାମପାଲର ବିଜାବାହାଲଠାରେ ରାତ୍ରିଯାପନ କରିବେ। ରାହୁଲଙ୍କ ନ୍ୟାୟ ଯାତ୍ରା ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାହୁଲଙ୍କ ଯାତ୍ରାକୁ ସଫଳ କରିବା ପାଇଁ କଂଗ୍ରେସର ବରିଷ୍ଠ ନେତାମାନେ ରାଉରକେଲାରେ ଡେରା ପକାଇଛନ୍ତି। ଫେବୃଆରୀ ୭ ତାରିଖ ସକାଳ ୯ ଟାରେ ରାଉରକେଲା ଉଦିତନଗରଠାରୁ ଏହି ଯାତ୍ରା ଆରମ୍ଭ ହୋଇ ପାନପୋଷ ଛକଠାରେ ପହଞ୍ଚିବ ଏବଂ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ ରାହୁଲ ଗାନ୍ଧୀ। ଏହାପରେ ବିର୍ସାମୁଣ୍ଡା ପଡିଆରେ କଂଗ୍ରେସ ସାଂସଦ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା ରହିଛି ।

ଅପରାହ୍ନ ୨ ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ। ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧୀ ଉଦ୍‌ବୋଧନ ଦେବେ। ଏହାପରେ ଅପରାହ୍ନ ୪ଟା ୩୦ରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ପଦଯାତ୍ରା ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ରି ରହଣୀ କରିବେ। ଫେବୃଆରୀ ୮ ତାରିଖ ସକାଳ ୮ ଟାରୁ ଝାରସୁଗୁଡ଼ାସ୍ଥିତ ମହାତ୍ମା ଗାନ୍ଧୀ ଛକ ପୁରୁଣା ବସଷ୍ଟାଣ୍ଡଠାରୁ ଯାତ୍ରା ଆରମ୍ଭ ହୋଇ ବେହେରା ମାଳରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରିବେ । ସେହିଠାରୁ ଯାଇ କୁରେଇମଲରେ ମଧ୍ୟାହ୍ନ ଭୋଜନ କରିବେ ରାହୁଲ ଗାନ୍ଧୀ।