ଏଏସଓ ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ

ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ’ର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଫଳାଫଳକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ପ୍ରାର୍ଥୀମାନେ ପ୍ରତିବାଦ କରି ଆସୁଥିବା ବେଳେ ଆଜି ଓପିଏସସି କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରିଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା ନଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି । ସେହିପରି କଟଅପ୍ ମାର୍କକୁ ନେଇ ମଧ୍ୟ ସ୍ପଷ୍ଟ କରାଯାଉ ବୋଲି ଦାବି କରିଛନ୍ତି । ଏମିତି କି ପରୀକ୍ଷାଖାତାରେ କିଛି ଲେଖିନଥିବା ପିଲାଙ୍କୁ ମଧ୍ୟ ଚୟନ କରାଯାଇଥିବା ଆଶାୟୀମାନେ ଅଭିଯୋଗ କରିଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ପରେ ଓପିଏସସି ପକ୍ଷରୁ ଏକ ପ୍ରେସ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ରଖାଯାଇଛି । ଏଥିରେ କୁହାଯାଇଛି- ଆଶାୟୀ ପରୀକ୍ଷାର୍ଥୀମାନେ ଆଣୁଥିବା ଅଭିଯୋଗ ଭିତ୍ତିହୀନ । ପରୀକ୍ଷାରେ ସ୍ୱଚ୍ଛତା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷାରେ ଅନୁପସ୍ଥିତ ପିଲାଙ୍କ ଚୟନ ଅଭିଯୋଗ ସଂପୂର୍ଣ୍ଣ ଭୁଲ ତଥ୍ୟ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି ।