ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍

ବାରିପଦା: ସାଧାରଣତଃ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ଲାଇନ କଟେନାହିଁ । ଏଥିପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥାଏ । ତେବେ ଆଜି ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।  ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍। କର୍ମଚାରୀମାନେ ଏନେଇ ବ୍ୟସ୍ତଥିବା ଦେଖିବାକୁ ମିଳିଥିଲା । ଚାରିଆଡ ଅନ୍ଧାର ଭିତରେ ରାଷ୍ଟ୍ରପତି କମ୍ ଝାପସା ଲାଇଟରେ ନିଜର ଭାଷଣ ଜାରି ରଖିଥିଲେ ।  ଏହାକୁ ନେଇ ଚାରଆଡୁ ରାଜ୍ୟ ସରକାରଙ୍କୁ ନିନ୍ଦା କରାଯାଇଛି । ନିଜ ଦୋଷକୁ ଅନ୍ୟ ବିଭାଗ ଉପରେ ଝାଡୁଛନ୍ତି କର୍ମଚାରୀ ।   ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଯାଏ ଦୀର୍ଘ ୯ ମିନିଟ ପାଇଁ ଲାଇନ୍ କଟିଯାଇଥିଲା। ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଅନ୍ଧାର ଭିତରେ କିନ୍ତୁ ଜାରି ରଖିଥିଲେ ସେ ନିଜର ଦୀକ୍ଷାନ୍ତ ଭାଷଣ। ଲାଇନ ନଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ଅନ୍ଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବା ବନ୍ଦ କରିନଥିଲେ।  କହିଥିଲେ, ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ। ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡ଼ିବିନି ଥକି’।
ଏହା ଅବଶ୍ୟ ଭିନ୍ନ କଥା ଯେ ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ବୀକାର କରିଛି। ତେବେ ଏଭଳି ବିଦ୍ୟୁତ୍ ବିଭ୍ରାଟକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ପଙ୍କଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲାବେଳେ ଏପରି ଅଘଟଣା ଘଟିଛି। ଭାଷଣ ବେଳେ ରାଷ୍ଟ୍ରପତି କହିଥିଲେ ଶିକ୍ଷାଲାଭ କେବେ ସରେ ନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି କହିଥିଲେ, ମୁଁ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ବେଳେ ସାନ୍ତାଳୀ ଭାଷାକୁ ମାନ୍ୟତା ଲାଗି ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରିଥିଲି। ଏହି ଭାଷାର ସଂରକ୍ଷଣ କ୍ଷେତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ସମସ୍ତେ ଦେଶ ଓ ଦେଶର ବିକାଶ କଥା ଚିନ୍ତା କରିବା ଉଚିତ।