ରାୟପୁର – ଖରିଆର ରୋଡ ରେଳ ଲାଇନ ଦୋହରୀକରଣକୁ ପ୍ରଧାନମନ୍ତ୍ରୀ କଲେ ଉତ୍ସର୍ଗ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉତ୍ସର୍ଗ କରିଛନ୍ତି । ସବୁଠୁ ବଡ଼ କଥା ହେଲା ପ୍ରଧାନମନ୍ତ୍ରୀ ୧୦୩ କିଲୋମିଟର ଦୈର୍ଘ୍ୟ ରାୟପୁର – ଖରିଆର ରୋଡ ରେଳ ଲାଇନର ଦୋହରୀକରଣକୁ ଉତ୍ସର୍ଗ କରିଛନ୍ତି ।  ଯାହାକି ୭୫୦ କୋଟି ଟଙ୍କା ବ୍ୟୟରେ ଶେଷ ହୋଇଛି । ବହୁଦିନରୁ ଏହି ରେଳଲାଇନର ଦୋହରୀକରଣ ପାଇଁ ଦାବି ହୋଇଆସୁଥିଲା । ଏବେ ତାହା ପୂରଣ ହୋଇଛି ।

କେଓଟି – ଅନ୍ତଗଡ଼କୁ ସଂଯୋଗ କରୁଥିବା ୧୭ କିଲୋମିଟର ଦୈର୍ଘ୍ୟ ନୂତନ ରେଳ ଲାଇନ ୨୯୦ କୋଟି ଟଙ୍କା ମୂଲ୍ୟରେ ବିକଶିତ ହୋଇଛି । ଅଧିକନ୍ତୁ, ପ୍ରଧାନମନ୍ତ୍ରୀ କେରୋବା ଠାରେ ୧୩୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ର୍ନିମିତ ବାର୍ଷିକ ୬୦ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଭାରତୀୟ ତୈଳ ନିଗମର ଏକ ବଟଲିଂ ପ୍ଲାଣ୍ଟକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ସେ ଭିଡିଓ ଲିଙ୍କ ମାଧ୍ୟମରେ ଅନ୍ତଗଡ – ରାୟପୁର ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥି ସହିତ ପ୍ରଧାନମନ୍ତ୍ରୀ ମଧ୍ୟ ଆୟୁଷ୍ମାନ ଭାରତ ଅଧୀନରେ ହିତାଧିକାରୀଙ୍କୁ ୭୫ ଲକ୍ଷ କାର୍ଡ ବଣ୍ଟନ ଆରମ୍ଭ କରିଥିଲେ ।